କଟକ : ପାର୍ବଣରେ ୪ଫୁଟ୍ ଉଚ୍ଚ ମୂର୍ତ୍ତି କଟକଣାକୁ ନେଇ ସରକାରଙ୍କ ଯୁକ୍ତି ସହିତ ସେ ବ୍ୟକ୍ତିଗତ ଭାବେ ଆଦୌ ଏକମତ ହୋଇପାରୁ ନାହାନ୍ତି ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି। କଟକର ଦେଉଳ ସାହିସ୍ଥିତ ମୋନାଲିସା ପ୍ୟାଲେସରେ କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି କର୍ମକର୍ତ୍ତାଙ୍କ ବୈଠକରେ ଭର୍ତ୍ତୃହରି ଏଭଳି ବକ୍ତବ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି କଟକ ସହରବାସୀଙ୍କ ଦାବି ରଖିବା ପାଇଁ ପୂର୍ବରୁ ଭର୍ତ୍ତୃହରି ଓ କଟକ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ଭର୍ତ୍ତୃହରି କହିଛନ୍ତି, ଶାନ୍ତି କମିଟିର ପୂର୍ବ ବୈଠକରେ ମତ ପ୍ରକାଶ ପାଇଥିଲା ଯେ ପ୍ରଶାସନର ନିଷ୍ପତ୍ତି ସଂପର୍କରେ ହୁଏତ ମୁଖ୍ୟମନ୍ତ୍ରୀ ଅବଗତ ନଥିବେ। ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମୟ ମାଗି ଥିବା ବେଳେ ମୁଖ୍ୟମନ୍ତ୍ରୀ ଯେବେ କଥା ହେବାକୁ ଚାହିଁବେ, ସେତେବେଳେ ତାଙ୍କୁ ଜଣାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ତାଙ୍କୁ କୁହାଯାଇଥିଲା। କିନ୍ତୁ ଏଯାଏ ତାଙ୍କୁ କୌଣସି ସୂଚନା ଆସି ନାହିଁ।
ଅନ୍ୟପଟେ କଟକ ସହରବାସୀଙ୍କ ଦାବି ସଂକ୍ରାନ୍ତ ପିଟିସନକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପହଞ୍ଚାଇ ଦେବା ପାଇଁ ସେ ପ୍ରଭାତ ତ୍ରିପାଠୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ତା ଉପରେ କୌଣସି ଜବାବ ଏଯାଏ ଆସି ନଥିବାରୁ ପ୍ରଶାସନର ପୂର୍ବ ନିଷ୍ପତ୍ତି ବଦଳିବାର ବର୍ତ୍ତମାନ ସ୍ଥିତିରେ ଆଉ କୌଣସି ସମ୍ଭାବନା ନାହିଁ ବୋଲି ଭର୍ତ୍ତୃହରି କହିଥିଲେ। ଭର୍ତ୍ତୃହରି କହିଥିଲେ ଯେ ସାରା ଓଡ଼ିଶା ଏବେ ଆଶା ଓ ଆଶଙ୍କା ଭିତରେ ଅଛି। କଟକରେ କଣ ନିଷ୍ପତ୍ତି ହେଉଛି, ତାହାକୁ ସାରା ରାଜ୍ୟ ଅନାଇ ରହିଛି। ଗତକାଲି ଝାଡ଼ଖଣ୍ଡ ସରକାର ପାର୍ବଣରେ ୫ ଫୁଟ୍ ଉଚ୍ଚ ମୂର୍ତ୍ତି ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପଶ୍ଚିମବଙ୍ଗ ସରକାର ମୂର୍ତ୍ତି ସଂକ୍ରାନ୍ତରେ କୌଣସି ନିୟମ ଜାରି କରି ନାହାନ୍ତି। ମୁମ୍ବାଇ ଗଣେଶ ମୂର୍ତ୍ତି ୪ ଫୁଟ୍ କରିବା ପଛରେ ସେଠାରେ ଭିନ୍ନ ନିୟମ ଆଉ ଯୁକ୍ତି ରହିଛି। ପୁରୀ ରଥଯାତ୍ରା ଆୟୋଜନ କରିବାକୁ ଗତବର୍ଷ ସରକାର ମନା କରିଥିଲେ। ହାଇକୋର୍ଟ ବି ସେହି ଅନୁଯାୟୀ ରାୟ ଦେଇଥିଲେ। କିନ୍ତୁ ପୁରୀର ନିର୍ଦ୍ଦିଷ୍ଟ କେତେକ ନିଯୋଗ ତାହାକୁ ନେଇ ସୁପ୍ରିମକୋର୍ଟ ଗଲେ ଏବଂ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଗତବର୍ଷ ଓ ଚଳିତ ବର୍ଷ କିଭଳି ରଥଯାତ୍ରା ଆୟୋଜନ ହେଲା, ତାହା ସମସ୍ତେ ଦେଖିଛନ୍ତି। କିନ୍ତୁ ଏ ସଂପର୍କରେ ଶାନ୍ତି କମିଟି ଓ ପୂଜା କମିଟି ଯାହା ସର୍ବସମ୍ମତ ନିଷ୍ପତ୍ତି ନେବ ତାହା କାର୍ଯ୍ୟକାରୀ ହେବା ଉଚିତ। ସରକାରଙ୍କ ନିର୍ଦ୍ଦେଶ ମାନି ଚଳିତ ବର୍ଷ ପୂଜା ଆୟୋଜନ କରାଯାଇ ପାରେ। ନଚେତ ଯଦି ସମସ୍ତେ ନିଷ୍ପତ୍ତି ନେବେ ତେବେ ଏହାକୁ ନେଇ ଅଦାଲତରେ ବି ଆବେଦନ କରାଯାଇ ପାରେ ବୋଲି ଭର୍ତ୍ତୃହରି କହିଥିଲେ।
ବୈଠକରେ ମହାନଗର ପୂଜା କମିଟିର ସଂପାଦକ ପ୍ରଭାତ ତ୍ରିପାଠୀ, ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରି ଦାସ, କାର୍ଯ୍ୟକାରୀ ସଭାପତି ଆଡଭୋକେଟ ବିଜୟ ଦାଶ, ପୂର୍ବତନ ମନ୍ତ୍ରୀ ସମୀର ଦେ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ବାମପନ୍ଥୀ ନେତା ଅମରେନ୍ଦୁ ମହାନ୍ତି, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଜି ବାଲୁ ବଜାର ପୂଜା କମିଟିର ମାମଲାକୁ ନେଇ ରାୟ ପ୍ରକାଶ ପାଇଥିବା ବେଳେ ଆସନ୍ତାକାଲି ଶାନ୍ତି କମିଟି ପକ୍ଷରୁ ପରବର୍ତ୍ତି ପଦକ୍ଷେପ ସଂପର୍କରେ ଘୋଷଣା କରାଯିବ ବୋଲି ସଂପାଦକ ଭିକାରି ଦାସ ସୂଚନା ଦେଇଛନ୍ତି।