ଭୁବନେଶ୍ୱର : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଚିହ୍ନଟ ଦେଶରୁ କେତେ ସଂଖ୍ୟକ ଲୋକ ଓଡ଼ିଶାକୁ ଆସିଛନ୍ତି ତାହାକୁ ନେଇ ଗତ କିଛିଦିନ ହେବ ରହସ୍ୟ ଜାରି ରହିଥିଲା। ଗଣମାଧ୍ୟମରେ ବିଦେଶ ଫେରନ୍ତାଙ୍କ ଏକାଧିକ ସୂଚନା ଘୂରି ବୁଲିଥିଲା। ମାତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏଥିରୁ ପରଦା ହଟାଇଛି। ‘ଓମିକ୍ରନ୍’ ଆଟ ରିସ୍କ୍ ଦେଶରୁ ଓଡ଼ିଶାକୁ ୯୮୨ ଜଣ ଫେରିଥିବା ବେଳେ ତହିଁରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପ୍ରକୃତରେ ‘ଓମିକ୍ରନ୍’ରେ ଆକ୍ରାନ୍ତ କି ନୁହେଁ ତାହା ଜାଣିବା ଲାଗି ଜିନ୍ ଅନୁଶୀଳନ ପାଇଁ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ପଠାଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ବିଦେଶ ଫେରନ୍ତାଙ୍କୁ ନେଇ ଆତଙ୍କିତ ହେବା ଉଚିତ୍ ନୁହେଁ। ସେମାନେ ଫେରାର ହୋଇ ନାହାନ୍ତି। ହେଲେ କିଛି ଲୋକ ବିଭିନ୍ନ କାରଣରୁ ଫୋନ୍ ଉଠାଉ ନାହାନ୍ତି। ଜିଲ୍ଲାୱାରୀ ତାଲିକା ଜାରି ହୋଇଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସିଂ କରୁଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବା ୪ ବିଦେଶ ଫେରନ୍ତା ଲକ୍ଷଣ ବିହୀନ ବୋଲି ଡା.ମିଶ୍ର ସୂଚନା ଦେଇଛନ୍ତି।

Advertisment

ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ ଲୋକମାନେ ଯେଉଁଭଳି କୋଭିଡ ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି, ସେମିତି ଓମିକ୍ରନ୍ ପ୍ରଜାତି ପାଇଁ ମଧ୍ୟ ସତର୍କ ରହିବା ଆବଶ୍ୟକ। ଟେକ୍‌ନିକାଲ ଓ ଗୋଷ୍ଠୀ ସ୍ତରରେ ସତର୍କ ରହିବାକୁ ପଡ଼ିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁସାରେ, ଯେଉଁମାନେ ଟିକା ନେଇ ନାହାନ୍ତି ଓ ଜଟିଳ ରୋଗରେ ଆକ୍ରାନ୍ତ ଲୋକ ଏହି ନୂଆ ପ୍ରଜାତି ପାଇଁ ଅଧିକ ସମ୍ବେଦନଶୀଳ। ଏହାସହ ଶିଶୁମାନେ ମଧ୍ୟ ରିସ୍କ ଜୋନ୍‌ରେ ରହିଛନ୍ତି। ଶିଶୁମାନଙ୍କ ଚିକିତ୍ସା ପାଇଁ ଭିନ୍ନ ନିର୍ଦେଶାବଳୀ ରହିଛି। ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଉଛି। ଓମିକ୍ରନ୍ ସଂକ୍ରମଣରେ ଲକ୍ଷଣ କମ୍ ସହିତ ରୋଗୀ ଗୁରୁତର ହେଉ ନାହାନ୍ତି। ମୃତ୍ୟୁ ନାହିଁ ବୋଲି ଡା.ମହାପାତ୍ର କହିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୪ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର, ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ରହିଛନ୍ତି। ୪ ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଳକା ବିଦେଶ ଫେରନ୍ତାଙ୍କୁ ତୁରନ୍ତ ଟ୍ରେସିଂ କରି ସେମାନଙ୍କ ନମୁନା ପରୀକ୍ଷା କରିବା ଲାଗି କୁହାଯାଇଛି। କିଛି ବିଦେଶ ଫେରନ୍ତା ଓଡ଼ିଶା ଆସିଥିଲେ ହେଁ, ପୁଣିଥରେ ବାହାର ରାଜ୍ୟକୁ ପଳାଇଛନ୍ତି। ଏହାସହ ଅନେକ ଓଡ଼ିଶା ଫେରନ୍ତାଙ୍କ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲେ ମଧ୍ୟ ସେମାନେ ଓଡ଼ିଶାକୁ ଫେରି ନାହାନ୍ତି। ଯୋଗାଯୋଗ କରାଯିବା ସମୟରେ ସେମାନେ ଅନ୍ୟ ରାଜ୍ୟରେ ଥିବା ଜଣାପଡ଼ିଛି।