ରାଜୁଆ-ଦୟାରେ ୪ରୁ ଊର୍ଦ୍ଧ୍ବ ଘାଇ: ଭଗବାନ ଭରସାରେ ଛାଡ଼ି ହାତ ଟେକିଦେଲା ପ୍ରଶାସନ

ଖୋର୍ଦ୍ଧା: ଲଗାଣ ବର୍ଷା ହେଲେ ନଦୀରେ ବଢ଼ି ଆସିବ, ଏହା ସ୍ୱାଭାବିକ କଥା । ମହାନଦୀରେ ପଛୁଆ ପାଣିରେ ଖୋର୍ଦ୍ଧାର ରାଜୁଆ, ଦୟା, ମଲାଗୁଣି, ମକରା ଆଦି ନଦୀ ନିକଟବର୍ତୀ ଅଂଚଳରେ କିଛି ଶହ ଏକର ଚାଷ ଜମିରେ ବଢ଼ି ପାଣି ମାଡ଼େ ଏହା ମଧ୍ୟ ଏକ ନିୟମିତ ଘଟଣା । କିନ୍ତୁ ଚଳିତ ବର୍ଷ ମହାନଦୀରେ ଆସିଥିବା ବନ୍ୟା ଓ ପଛୁଆ ପାଣିରେ ଖୋର୍ଦ୍ଧା ବ୍ଲକରେ ବିଭିନ୍ନ ଶାଖା ନଦୀରେ ଯେଉଁଭଳି ଘାଇ ସୃଷ୍ଟି ହୋଇଛି ତାହା ପ୍ରଶାସନର ସମସ୍ତ ଦୁର୍ବଳତା ପଦାରେ ପକାଇଦେଇଛି । ବର୍ଷା ଋତୁ ପୂର୍ବରୁ ଦୁର୍ବଳ ନଦୀବନ୍ଧ ଠାବ କରିବା, ମରାମତି କରିବା ଆଦି ନେଇ ଯେଉଁ ପ୍ରସ୍ତୁତି ବୈଠକ, ଯୋଜନା ହୋଇଥିଲା ଓ କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ ହୋଇଥିଲା ତାହା ସବୁ ଘାଇ ପାଣି ଭସାଇ ନେଇଛି ।

ଗତକାଲି ରାତି ପ୍ରାୟ ୮ଟା ବେଳେ ରାଜୁଆ-ଦୟା ନଦୀରେ ତିରିମଲ ଠାରେ ଘାଇ ସୃଷ୍ଟି ହେଲା । ବଢ଼ି ପାଣିର ବେଗ ଏତେ ତୀବ୍ର ଥିଲା ଯେ ୧୧ଟା ବେଳକୁ ଘାଇ ୧୦୦ ଫୁଟକୁ ବଢ଼ିଯାଇଥିଲା । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜଳସେଚନ ବିଭାଗ ଯନ୍ତ୍ରୀ, ପୁଲିସ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ବାଲିବସ୍ତା ପକାଇ ଘାଇକୁ ବାନ୍ଧିବାକୁ ଚେଷ୍ଟା କରି ବିଫଳ ହେଲେ । ଆଜି ସକାଳେ ଏହି ଘାଇ ୩ଶହ ଫୁଟକୁ ବୃଦ୍ଧି ପାଇଛି । କେବଳ ଏହାନୁହେଁ ଏହି ପାଣି ତଳମୁଣ୍ଡରେ ପହଂଚି ଅଣ୍ଡା-ମନ୍ଦାରବସ୍ତ ରାସ୍ତାର କଂଟାବଣିଆ ନିକଟରେ ୩ଟି ବଡ଼ ଘାଇ ସୃଷ୍ଟି କରିଛି । ପାଣି କ୍ରମାଗତ ବୃଦ୍ଧି ପାଉଥିବା ଓ ଘାଇଗୁଡ଼ିକୁ ମାଟି ଖସୁଥିବାରୁ ଘାଇର ଆକାର ରାତି ମଧ୍ୟରେ ବଢ଼ିଯିବା ସମ୍ଭାବନା ରହିଛି । ଏହି ଘାଇ ଦ୍ୱାରା ଜଟଣୀ, ଖୋର୍ଦ୍ଧା ଓ ପୁରୀ କଣାସ ବ୍ଲକର ପ୍ରାୟ ୫ହଜାର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଚଳିତ ବର୍ଷ ବର୍ଷା ବିଳମ୍ବରେ ଆସିଲା । ସେମାନେ ଜମିରେ ଧାନବୁଣା ବିଳମ୍ବରେ ଆରମ୍ଭ କଲେ । ୧୦ ଦିନ ପୂର୍ବେ ସେମାନେ ଧାନ ତଳି ରୁଆ କାମ ଶେଷ କରିଥିଲେ । ଯଦି ପାଣି ଆଉ ଦିନେ ଏଭଳି ରହେ ତେବେ ସମସ୍ତ ତଳି ନଷ୍ଟ ହୋଇଯିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖୋର୍ଦ୍ଧାରେ ରାଜୁଆ, ଦୟା ନଦୀରେ ସୃଷ୍ଟି ହୋଇଥିବା ୫ରୁ ଉଦ୍ଧ୍ୱର୍ ଛୋଟବଡ଼ ଘାଇକୁ ନେଇ ପ୍ରଶାସନ ହାତ ଟେକି ଦେଇଛି । କେବଳ ଏହାନୁହେଁ ଖୋର୍ଦ୍ଧା ଓ ଜଟଣୀ ବ୍ଲକରେ ଘାଇ ଦ୍ୱାରା କେତେ ପରିମାଣରେ ଚାଷଜମି ନଷ୍ଟ ହୋଇଛି ସେନେଇ କୃଷି ବିଭାଗ କିମ୍ବା ରାଜସ୍ୱ ବିଭାଗ ନିକଟରେ କୌଣସି ତଥ୍ୟ ନାହିଁ । ଘାଇର ସୃଷ୍ଟି ଓ ମରାମତି ନେଇ ଜଳସେଚନ ବିଭାଗ ଯନ୍ତ୍ରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି । ଜଣେ ବରିଷ୍ଠ ପ୍ରାଶାସନିକ ଅଧିକାରୀ କହିଛନ୍ତି, ଏବେ କିଛି କରିହେବନି କେବଳ ଭଗବାନ ଭରସା । ଯଦି ମହାନଦୀରୁ ବଢ଼ି ପାଣି ହ୍ରାସ ପାଏ ତେବେ ଯାଇ ଉଦ୍ଧାର ମିଳିବ ।

ସମ୍ବନ୍ଧିତ ଖବର