ମାଲକାନଗିରିରେ ଫସିଥିଲେ ୪ କଲେଜ ଛାତ୍ରୀ, ଚାଲି ଚାଲି ଘରକୁ ବାହାରିଲେ

ମାଲକାନଗିରି : ପାଠ ପଢ଼ିବେ ବୋଲି ମାଲକାନଗିରି ଆସିଥିଲେ। ସରକାର ଲକ୍‌ଡାଉନ୍ ଘୋଷଣା କରିବା ପରେ ଆଉ ଘରକୁ ଫେରିପାରିଲେ ନାହିଁ। ଯାହା ରାସନ ଓ ହାତ ଖର୍ଚ୍ଚ ଥିଲା ସବୁ ସରିଗଲା। ବାରମ୍ବାର ପରିବାରକୁ ଯୋଗାଯୋଗ କରିବା ସତ୍ତ୍ବେ କେହି ନେବାକୁ ଆସିପାରିଲେ ନାହିଁ। ଶେଷରେ ଚାଲିଚାଲି ଘରକୁ ବାହାରିଲେ ୪ଜଣ କଲେଜ ଛାତ୍ରୀ। ୬୦କିଲୋମିଟର ରାସ୍ତାକୁ ସେମାନେ ପାଦରେ ଅତିକ୍ରମ କରିବାକୁ ନିଷ୍ପତ୍ତି ନେଇଥିଲେ।

ଟାଇଁ ଟାଇଁ ଖରାରେ ହାତରେ ବ୍ୟାଗ୍ ଧରି ଯାଉଥିଲେ ୪ଜଣ ଛାତ୍ରୀ। ମାଲକାନଗିରିଠାରୁ ପ୍ରାୟ ୫କିଲୋମିଟର ଅତିକ୍ରମ କରି ସାରି‌ଥିଲେ। ଚାଲିବାକୁ ଥିଲା ଆହୁରି ୫୫କିଲୋମିଟର। ଶରୀରକୁ ବାଧୁଥିଲେ ସୁଦ୍ଧା ‌ଯେ କୌଣସି ପ୍ରକାର ଘରେ ପହଞ୍ଚିବା ହିଁ ଥିଲା ସେମାନଙ୍କ ଲକ୍ଷ୍ୟ। ଶୂନଶାନ ରାସ୍ତାରେ ୪ଜଣ ଝିଅ ଏମିତି ଯିବା ଘଟଣା ଅସ୍ବାଭାବିକ ଥିଲା। ପଚାରିବାରୁ ଉତ୍ତର ମିଳିଥିଲା ଯେ, ମାଲକାନଗିରିରେ ସେମାନେ ପାଠ ପଢ଼ୁଛନ୍ତି। ଘର ଭଡ଼ା ନେଇ ରହୁଥିବା ବେଳେ ଖାଇବାକୁ ଯାହା ଥିଲା ସବୁ ସରିଗଲା। ଏ ନେଇ ସେମାନେ ପରିବାରକୁ ଜଣାଇଥିଲେ। କିନ୍ତୁ ଲକ୍‌ଡାଉନ୍ ଯୋଗୁଁ ପରିବାର ଲୋକ ବି ଗାଁରୁ ବାହାରି ପାରୁ ନଥିଲା କହିଥିଲେ। ସେହିପରି ଏମାନେ ବି ଅନେକ ଥର ଘରକୁ ଯିବାକୁ ଚାହିଁଥିଲେ ମଧ୍ୟ କୌଣସି ଗାଡ଼ି ମିଳି ନଥିଲା। ଏମିତି ସ୍ଥିତିରେ ଚାଲି ଚାଲି ଯିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିବା କ୍ଷୋଭର ସହ କହିଥିଲେ।

ଏ ନେଇ ପ୍ରଶାସନକୁ ଅବଗତ କରାଯାଇଥିଲା। କିନ୍ତୁ ପ୍ରଶାସନ ତରଫରୁ କୌଣସି ସୁବିଧା ମିଳିନଥିବା ଜଣାପଡ଼ିଛି। କେବଳ ଏହି ଚାରି ଜଣ ଛାତ୍ରୀ ନୁହଁନ୍ତି। ଏମାନଙ୍କ ଭଳି ବହୁ ଛାତ୍ରଛାତ୍ରୀ ଏବେ ମାଲକାନଗିରିରେ ଫସି ରହିଛନ୍ତି। ଖାଇବା ପିଇବାରେ ବି ସମସ୍ୟା ହେଉଛି। ତଥାପି ସେମାନେ ବାହାରି ପାରୁ ନଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି। ତୁରନ୍ତ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପ୍ରଶାସନ ଘରେ ଛାଡ଼ିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର