୪ ରାଜପଥ ଲୁଟେରା ଗିରଫ: ବାଇକ୍, ଲାପଟପ୍‌, ସୁନା ଅଳଙ୍କାର ଓ ଟଙ୍କା ଜବତ

ଚଣ୍ତିଖୋଲ : ୪ ଜଣ ରାଜପଥ ଲୁଟେରାଙ୍କୁ ଆଜି ବଡ଼ଚଣା ପୁଲିସ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ପାଖରୁ ପୁଲିସ ୨ଟି ବାଇକ୍, ୨ଟି ଲାପଟପ୍‌, ୫ଟି ମୋବାଇଲ, ନିଶା ଟାବଲେଟ୍‌, ୨୭ ଗ୍ରାମ ସୁନା ଅଳଙ୍କାର ସହିତ ନଗଦ ୨୦ ହଜାର ୬ ଶହ ଟଙ୍କା ଜବତ କରିଛି। ଜାତୀୟ ରାଜପଥରେ ଏହି ଲୁଟେରାମାନେ ସାଧାରଣ ଲୋକଙ୍କୁ ବାଇକ୍‌ରେ ଲିପ୍ଟ ଦେଇଥାନ୍ତି। ପରେ ଚା’ରେ ନିଶାଦେଇ ସେମାନଙ୍କ ଠାରୁ ସମସ୍ତ ଜିନିଷପତ୍ର ଲୁଟ୍ କରି ନେଇଥାନ୍ତି। ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଲୁଟିବା ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ ବୋଲି ବଡ଼ଚଣା ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ ଏସ୍‌ଡିପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଉଡ଼ିଆସ୍ଥିତ ଇଣ୍ତିଆନ୍ ବ୍ୟାଙ୍କ ମ୍ୟାନେଜର ରାଜେନ୍ଦ୍ର ନାୟକ ଗତ ୧୨ ତାରିଖରେ ଚଣ୍ତିଖୋଲକୁ ଆସିବା ପାଇଁ କଟକ ଜଗତପୁର ଠାରେ ଠିଆ ହୋଇଥିଲେ। ଜଣେ ଲୁଟେରା ଶ୍ରୀ ନାୟକଙ୍କୁ କୁଆଡେ ଯିବ ବୋଲି କହି ଚଣ୍ତିଖୋଲ ପର୍ଯ୍ୟନ୍ତ ନେଇ ଆସିଥିଲା। ମଙ୍ଗୁଳି ଛକ ନିକଟରେ ଏକ ଚା’ ଦୋକାନରେ ଶ୍ରୀ ନାୟକଙ୍କୁ ଲୁଟେରା ଜଣଙ୍କ କୌଶଳ କରି ଚା’ରେ ନିଶା ବଟିକା ଦେଇ ଦେଇଥିଲା। ପରେ ଅନ୍ୟଜଣେ ଲୁଟେରା ସହ ସେମାନେ ଚଣ୍ତିଖୋଲ ଅଭିମୁଖେ ଆସିଥିଲେ। ବଡ଼ଚଣା ଥାନା ଅଞ୍ଚଳରେ ଶ୍ରୀ ନାୟକ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହି ସୁଯୋଗରେ ୨ ଲୁଟେରା ଶ୍ରୀନାୟକଙ୍କ ଠାରୁ ସୁନାଚେନ, ମୁଦି, ମୋବାଇଲ ଓ ଗୋଟିଏ ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ। ବଡ଼ଚଣା ପୁଲିସ ରାସ୍ତା କଡ଼ରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଶ୍ରୀ ନାୟକଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୁସ୍ଥ ହେବାପରେ ଶ୍ରୀ ନାୟକ ଘଟଣା ସମ୍ପର୍କରେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ।

ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଉଦ୍ୟମ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୪ ଜଣ ଲୁଟେରାଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ବାଇକ୍‌, ମୋବାଇଲ, ଲାପଟପ୍‌ ଓ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଜବତ କରିଥିଲା। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ଲୁଟେରାମାନଙ୍କ ନାମ ଓ ଠିକଣା ପ୍ରକାଶ କରିନାହିଁ। ଅନ୍ୟପକ୍ଷରେ ଗିରଫ ଲୁଟେରାମାନଙ୍କ ନାମରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ବିଭିନ୍ନ ଥାନା ଅଞ୍ଚଳରେ ଏକାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବଡ଼ଚଣା ଥାନାଧିକାରୀ ପ୍ରିୟବ୍ରତ ରାଉତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର