ଜୟପୁର (ନବୀନ ଚନ୍ଦ୍ର ସାହୁ ): ୨୦୨୪ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ୪ ମାଝି। ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ଏହି ଆସନରେ ଶାସନର ଡୋରି ମାଝି ପରିବାର ହାତରେ ଥିବାରୁ ଶାସକ ବିଜେଡି, ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ, ବିଜେପି ମାଝି ପରିବାରରୁ ପ୍ରାର୍ଥୀ ଚୟନ କରିବା ଥୟ। ବିଜେଡି ସାଂସଦ ରମେଶ ମାଝି ପୁଣି ଥରେ ଦଳୀୟ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଶା ରଖିଛନ୍ତି। ବିଜେପି ପୂର୍ବତନ ସାଂସଦ ବଳଭଦ୍ର ମାଝି କିମ୍ବା ପର୍ଶୁରାମ ମାଝି, କଂଗ୍ରେସ ଡାବୁଗାଁର ପୂର୍ବତନ ବିଧାୟକ ବଳଭଦ୍ର ମାଝିଙ୍କୁ ପ୍ରାର୍ଥୀ କରିବା ନିଶ୍ଚିତ! ଏହା ଭିତରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝି ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବା ନେଇ ରେସରେ ଅଛନ୍ତି।

Advertisment

ନବରଙ୍ଗପୁର, ଉମରକୋଟ, ଝରିଗାଁ, ଡାବୁଗାଁ, ମାଲକାନଗିରି, ଚିତ୍ରକୋଣ୍ଡା, କୋଟପାଡ଼ ବିଧାନସଭା ଆସନକୁ ନେଇ ଗଠିତ ଏହି ଲୋକସଭା କ୍ଷେତ୍ର। କଂଗ୍ରେସର ଗଡ଼ ଭାବେ ପରିଚିତ ଏହି ଆସନରେ ୧୯୬୨ରୁ ୧୯୯୮ ନିର୍ବାଚନ ପର୍ଯ୍ୟନ୍ତ ଲଗାତାର ୯ ଥର ସଂସଦକୁ ନିର୍ବାଚିତ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଖଗପତି ପ୍ରଧାନୀ। ୧୯୯୯, ୨୦୦୪ ନିର୍ବାଚନରେ ଏହି ଆସନ ବିଜେପି ଖାତାକୁ ଯାଇଥିଲା। ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝି ଜିତି କଂଗ୍ରେସକୁ ପୁଣି ବିଜୟ ସ୍ବାଦ ଚଖାଇଥିଲେ। ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ଇଂ. ବଳଭଦ୍ର ମାଝି କଂଗ୍ରେସ ବିଜୟରେ ରୋକ୍ ଲଗାଇଥିଲେ। ୨୦୧୯ରେ ବିଜେଡି ବଳଭଦ୍ରଙ୍କ ବଦଳରେ ତତ୍କାଳୀନ ଝରିଗାଁ ବିଧାୟକ ରମେଶ ମାଝିଙ୍କୁ ପ୍ରାର୍ଥୀ କରିଥିଲା। ବଳଭଦ୍ର ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇ ନିର୍ବାଚନ ଲଢ଼ି ୪୯ ହଜାର ୬୬୫ ଭୋଟ ବ୍ୟବଧାନରେ ହାରିଥିଲେ। ରମେଶ ମାଝି ୩ ଲକ୍ଷ ୯୨ ହଜାର ୫୦୪ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝି ୩ ଲକ୍ଷ ୫୦ ହଜାର ୮୭୦ ଭୋଟ ପାଇ ଦ୍ବିତୀୟ, ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ୩ ଲକ୍ଷ ୪୨ ହଜାର ୮୩୯ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ବିଜେଡି ବିଜୟୀରେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସବୁବେଳେ କଣ୍ଟା ସାଜୁଥିବାରୁ କଳେବଳେ କୌଶଳେ ବିଜେଡିକୁ ନେବା ପାଇଁ ପ୍ରୟାସ କରିଥିଲା ଦଳ।

୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍ ହୋଇଥିଲେ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ରମେଶ ଓ ପ୍ରଦୀପ ଏବେ ଗୋଟିଏ ଦଳରେ ଥିବାରୁ ବିଜେଡି ୨୦୨୪ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚାଲିଛି ମାନସ ମନ୍ଥନ। ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ପରେ ଦଳ ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କୁ ମଇଦାନରେ ଅବତୀର୍ଣ୍ଣ କରାଇଛି। ଭୁଜବଳ ଡାବୁଗାଁ ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ଜିତିଛନ୍ତି।  ପ୍ରଦୀପ ଓ ବିଜେଡିକୁ ଚେକ୍ ଦେବାକୁ କଂଗ୍ରେସ ରଣନୀତି ଆରମ୍ଭ କରି ମାଲକାନଗିରିରେ ଆଦିବାସୀ ଜନ ଜାଗରଣ ସମାବେଶରେ ଶକ୍ତି ପ୍ରଦର୍ଶନ କରିଛି। ଓଡ଼ିଶା, ଛତିଶଗଡ଼ର ବହୁ ହେଭିୱେଟ୍ ନେତା, ଛତିଶଗଡ଼ ଅବକାରୀ ମନ୍ତ୍ରୀ ଲକ୍ଷ୍ମା କବାସୀ ସମାବେଶରେ ଯୋଗଦେଇ ରଣହୁଙ୍କାର ଦେଇଛନ୍ତି। କଂଗ୍ରେସ ସମାବେଶ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିବାରୁ ବିଜେଡି ପ୍ରଦୀପ ନା ରମେଶ କାହାକୁ ମଇଦାନକୁ ଓହ୍ଲାଇବ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବଳଭଦ୍ର ହାରିଥିଲେ ମଧ୍ୟ ମାଲକାନଗିରି, ଉମରକୋଟ ଆସନରେ ବିଜେପି ବିଧାୟକ ଜିତିଥିବାରୁ ଆଗାମୀ ନିର୍ବାଚନରେ ଦଳ ପାଇଁ ଏହା ଫଳପ୍ରଦ ହୋଇପାରେ। ଅନ୍ୟପକ୍ଷରେ ଶାସକ ବିଜେଡିକୁ ଘେରିବା ପାଇଁ ବିରୋଧୀ ଜୟପୁର-ନବରଙ୍ଗପୁର-ମାଲକାନଗିରି ରେଳ ଲାଇନ୍, ଜଳସେଚନ ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ କରିବେ।