ଭୁବନେଶ୍ବର : ଇଂରାଜୀ ପତ୍ରିକା ‘ଫର୍ଚୁନ୍ ଇଣ୍ଡିଆ’ର ମେ’ ସଂଖ୍ୟାରେ ଭାରତରେ ୪୦ ବର୍ଷରୁ କମ୍ ନୂଆ ଉଦ୍ୟୋଗୀଙ୍କର ବିବରଣୀମାନ ପ୍ରକାଶ ପାଇଛି। ଏହି ପତ୍ରିକାରେ ଓଡ଼ିଶାରୁ ୪ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ‘ଫାଲକନ୍ ଗ୍ରୁପ୍ର ପାର୍ଥଜିତ୍ ପଟ୍ଟନାୟକ, ‘ଅଶ୍ବିନୀ ଗ୍ରୁପ୍ ଅଫ୍ ହସ୍ପିଟାଲସ୍’ର ଜୟ ଦାଶ, (ବିଶ୍ବଜିତ ଦାଶ) ଓ ସୁମା ଦାଶ ଏବଂ ‘ଅଲିଭ୍ ରିଡ୍ଲେ ମିଡିଆ’ର ସମର ପ୍ରତାପ ନାୟକ।
ଜୟ ଦାଶ ଓ ସୁମା ଦାଶ ଖଡ଼ଗପୁର ଆଇଆଇଟିରୁ ଯାନ୍ତ୍ରିକବିଦ୍ୟାରେ ସ୍ନାତକ ସାରିବା ପରେ ଆମେରିକାର ପ୍ରସିଦ୍ଧ ‘ହ୍ବାରଟନ୍ ବିଜିନେସ୍ ସ୍କୁଲ୍’ରୁ ଏମ୍ବିଏ ପାଠ ସାରି ସେମାନଙ୍କର ଦକ୍ଷତାକୁ ‘ବୋଷ୍ଟନ କନସଲଟିଂ ଗ୍ରୁପ୍’ ସମେତ ଆମେରିକାର ଅନେକ ବିଶ୍ବବିଖ୍ୟାତ ବ୍ୟବସାୟ ପ୍ରତିଷ୍ଠାନରେ ପ୍ରତିପାଦିତ କରିଥିଲେ। କୋଭିଡ୍ ଆକ୍ରାନ୍ତ ଭାରତର ତଥା ଓଡ଼ିଶାର ଆହ୍ବାନକୁ ଆଖିରେ ରଖି ସେମାନେ ‘ଅଶ୍ବିନୀ ଗ୍ରୁପ୍ ଅଫ୍ ହସ୍ପିଟାଲସ’କୁ ନିଜର କର୍ମକ୍ଷେତ୍ର ଭାବେ ବାଛିଛନ୍ତି। ଜୟ ଦାଶ ଅଶ୍ବିନୀ ଗ୍ରୁପ୍ର ଷ୍ଟ୍ରାଟେଜି ବା କୌଶଳ ନିର୍ଦ୍ଦେଶକ ଥିବା ବେଳେ ସୁମା ଦାଶ ବିତ୍ତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଅଛନ୍ତି। ସେହିପରି ପାର୍ଥଜିତ୍ ପଟ୍ଟନାୟକ ଲଣ୍ଡନର ‘ହାର୍ଟଫୋର୍ଡସେୟାର ବିଶ୍ବବିଦ୍ୟାଳୟ’ରୁ ଏମ୍ବିଏ ସାରିବା ପରେ ଦୀର୍ଘ ବର୍ଷ ଧରି ଫାଲକନ୍ ବ୍ୟାନରରେ ଗଢ଼ି ଉଠୁଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକର ନିର୍ଦ୍ଦେଶକ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି। ସମର ପ୍ରତାପ ନାୟକ ‘କିଟ୍’ ଓ ‘ଆଇଆଇଏମ୍’ ଅହମ୍ମଦବାଦରୁ ଉଚ୍ଚଶିକ୍ଷା ହାସଲ କରିବା ପରେ ନିଜ ସ୍ବପ୍ନ ଓ ରଚନାତ୍ମକତାକୁ ସମ୍ବଳ କରି ଇଣ୍ଟରନେଟ୍-ପ୍ରଯୁକ୍ତି କ୍ଷେତ୍ରରେ ଏକ ନବ ପ୍ରୟୋଗ ସୃଷ୍ଟି କରିଛନ୍ତି। ‘ଅଲିଭ ରିଡ୍ଲେ ମିଡିଆ’ର ପ୍ରତିଷ୍ଠାତା ସମର ଏବେ ସାରା ପୃଥିବୀକୁ ଓଡ଼ିଶା ସହ ଯୋଡ଼ିବାରେ ସଫଳ ହୋଇଛନ୍ତି।