ଚିନି ଭାବି ୟୁରିଆ ସାର ଖାଇଦେଲେ; ୩ ଶିଶୁଙ୍କ ସମେତ ୪ ଗୁରୁତର

ଦେବଗଡ଼: ଚିନି ଭାବି ୟୁରିଆ ସାର ଖାଇ ଜଣେ ବୃଦ୍ଧା ଓ ୩ ଜଣ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବମପରଡା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, ବମପରଡା ଗ୍ରାମର ସନ୍ତୋଷ ବେହେରା ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତାଙ୍କ ବିବାହିତ ୩ ଝିଅ ଆଜି ଘରକୁ ଆସିଥିଲେ । ରୁଆ ବେଉଷଣ କାମ ଚାଲିଥିବାରୁ ତିନିଝିଅ ତାଙ୍କ ଘରେ ଛାଡି ଚାଷ କାମ କରିବାକୁ ଯାଇଥିଲେ । ଏହି ସମୟରେ ୫ ବର୍ଷର ପୁଅ ପିଙ୍କୁ ବେହେରା, ୧୫ ମାସର ସୁଷମା ଗୋଚ୍ଛାୟତ ଓ ୧୩ ମାସର ଅରୁଣି ବେହେରା ଚିନି ଭାବି ଘରେ ଥିବା ବସ୍ତାରୁ ୟୁରିଆ ସାର ବାହାର କରି ଚୁଡାରେ ପକାଇ ଖାଇ ଦେଇଥିଲେ । ମାତ୍ର ପିତା ଲାଗିବାରୁ ପିଙ୍କୁ ଏକଥା ତାଙ୍କ ଆଈ ଯମୁନାଙ୍କୁ ଜଣାଇବା ସହ ବାନ୍ତି କରିଥିଲା । ପରେ ପିଙ୍କୁ ଖାଉଥିବା ଚୁଡାକୁ ତାଙ୍କ ଆଈ ଯମୁନା ଖାଇବା ସହ ବାନ୍ତି କରିଥିଲେ ।

କିଛି ସମୟ ପରେ ସମସ୍ତେ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ବମପରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ସମସ୍ତଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କର ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର