ବଙ୍ଗୋମୁଣ୍ତା : କୁକୁଡ଼ା ହଜିଯିବାରୁ ପଡ଼ୋଶୀ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିଲା। ଶେଷରେ ଗୋଟିଏ ପକ୍ଷର ଏସିଡ୍‌ ମାଡ଼ରେ ଅନ୍ୟ ପକ୍ଷର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସାହୁପଡ଼ାର ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚାରି ଆହତ ସୁବାସ ସାହୁ, ଖଗେଶ୍ବର ସାହୁ, ସଂଜୁ ସାହୁ ଓ ଜଗବନ୍ଧୁ ସାହୁଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଜଗବନ୍ଧୁ ସାହୁଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ କରି ନେପାଳ ସାହୁ ଓ ତାଙ୍କ ପିତା ତୁଳସୀ ସାହୁଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ବଙ୍ଗୋମୁଣ୍ତା ସ୍କୁଲ ନିକଟରେ ଦୁଇ ପରିବାର ରହୁଛନ୍ତି। ଦୁଇଦିନ ତଳେ ଗୋଟିଏ ପରିବାରର କୁକୁଡ଼ାଟିଏ ହଜିଯାଇଥିଲା। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଦୁଇଦିନ ହେଲା ପାଟିତୁଣ୍ଡ ଲାଗିରହିଥିଲା। ଶୁକ୍ରବାର ଉଭୟ ପରିବାରର ମହିଳାମାନଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ଆରମ୍ଭ ହୋଇଥିଲା। ମହିଳାଙ୍କ ମଧ୍ୟରେ ମାରପିଟ୍‌ ହେବା ପରେ ପୁରୁଷଙ୍କ ମଧ୍ୟରେ ପୁଣିଥରେ ଝଗଡ଼ା ହୋଇଥିଲା। ‌ଏଥିରେ ଉତ୍ତ୍ୟକ୍ତ ହୋଇ ନେପାଳଙ୍କ ପରିବାର ଲୋକେ ଜଗବନ୍ଧୁଙ୍କ ପରିବାର ଲୋକଙ୍କ ଉପରକୁ ସୁନା ଗହଣା କାମ ପାଇଁ ରଖିଥିବା ଏସିଡ ମାଡ଼ କରିଥିଲେ।

ଖବର ପାଇ ସଙ୍ଗେ ସଙ୍ଗେ ବଙ୍ଗୋମୁଣ୍ତା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ବାରଣ କରିଥିଲା। ଏତିକିବେଳେ ଥାନାଧିକାରୀଙ୍କ ସାର୍ଟରେ ମଧ୍ୟ ସାମାନ୍ୟ ଏସିଡ୍‌ ପଡ଼ିଥିଲା। ଆହତମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି। ଗିରଫ ନେପାଳ ଓ ତୁଳସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି। ପୁଲିସ ଥାନା କେସ୍‌ ନମ୍ବର ୪୫/୨୩ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛି।