ଯାଜପୁର ବଲ୍ଲଭିଘାଟ ଛକ ପାଖରେ ଦୁଇ ସାହି ମଧ୍ୟରେ ସଂଘର୍ଷ, ୪ ଗୁରୁତର ଆହତ

ଯାଜପୁର: ସାମାନ୍ୟ କଥାକୁ କେନ୍ଦ୍ର କରି ଗତ ମଧ୍ୟରାତ୍ର ପରେ ଟାଉନ୍‌ ଥାନା ଅନ୍ତର୍ଗତ ବଲ୍ଲଭିଘାଟ ଛକ ନିକଟରେ ନାଉରିଆ ସାହି ଓ ସାନବଜାର ବାସିନ୍ଦାଙ୍କ ମଧ୍ୟରେ ତୁମୁଳ ସଙ୍ଘର୍ଷ ଘଟି ୪ଜଣ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଯାଜପୁର ପୌରାଞ୍ଚଳରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ହୋଇଥିବା ଭୋଜିରେ ଅନ୍ୟମାନଙ୍କ ସମେତ ନାଉରିଆ ସାହି ଓ ସାନବଜାର କେତେକ ବ୍ୟକ୍ତି ଯୋଗ ଦେଇଥିଲେ। କୌଣସି ଏକ ଛୋଟ କଥାକୁ ନେଇ ଭୋଜିସ୍ଥଳରେ ନାଉରିଆ ସାହି ଓ ସାନବଜାରର କେତେକ ଯୁବକଙ୍କ ମଧ୍ୟରେ ମତାନ୍ତର ହୋଇ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ କ୍ରମଶଃ ଉଗ୍ରତର ହେବାରୁ ଉଭୟ ଗୋଷ୍ଠୀର ଯୁବକମାନେ ସାନବଜାର ଛକ ଉପରକୁ ଚାଲି ଆସିଥିଲେ। ସେଠାରେ ମଧ୍ୟ ବିବାଦ ଆହୁରି ତେଜିଲା ଏବଂ ନାଉରିଆ ସାହିର ବାସିନ୍ଦାମାନେ ଦଳବଦ୍ଧ ଭାବେ କାଚ ବୋତଲ, ଢେଲା ଏବଂ ଭୁଜାଲି ଆଦି ଆଣି ସାନବଜାରରେ ତୁମୁଳ ସଂଘର୍ଷ ଆରମ୍ଭ କରିବା ସହ ପ୍ରାୟ ସବୁ ଦୋକାନ ଭାଙ୍ଗି ଛିନ୍ନଚ୍ଛତ୍ର ପକାଇଲେ।

ସଂଘର୍ଷ ସଂକ୍ରାନ୍ତରେ ଅବଗତ ହେବା ପରେ ଟାଉନ୍‌ ଥାନା ତରଫରୁ ଘଟଣାସ୍ଥଳରେ ୧ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ଏବେ ମଧ୍ୟ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଅଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ବି ନିୟନ୍ତ୍ରଣାଧୀନ ଥିବା କଥା ଜଣାପଡ଼ିଛି।

ଏପର୍ଯ୍ୟନ୍ତ ଏ ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ କି, ଆପୋସ ଆଲୋଚନା ମଧ୍ୟ ହୋଇନାହିଁ।

ଚିକିତ୍ସା ନିମନ୍ତେ ଆହତ ହୋଇଥିବା ସାନବଜାରର ୪ଜଣଙ୍କୁ କଟକ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର