ପାଣିକୋଇଲି/ବ୍ୟାସନଗର/କୋରେଇ : ବାଲେଶ୍ୱରରୁ ଭୁବନେଶ୍ବର ହାତୀଦାନ୍ତ ଚାଲାଣ ହେଉଥିବା ନେଇ ପାଣିକୋଇଲି ପୁଲିସକୁ ବିଶେଷସୂତ୍ରରୁ ସୂଚନା ମିଳିଥିଲା। ପାଣିକୋଇଲି ଶର୍ମାଟାଙ୍କି ନିକଟରେ ବନବିଭାଗ ଓ ପାଣିକୋଇଲି ପୁଲିସ ସାଦା ପୋଷାକରେ ଜଗିରହି ଉକ୍ତ ଗାଡ଼ିକୁ ଅଟକାଇବା ସହିତ ୪ ଜଣ ହାତୀଦାନ୍ତ ବେପାରୀଙ୍କୁ ଗୋଡ଼ାଇ ଧରିଛି।

Advertisment

ଅଭିଯୁକ୍ତମାନେ ହେଲେ, ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନୀଳଗିରି ଗ୍ରାମର ସୋମନାଥ ନାୟକ(୨୬), ସେହି ଗ୍ରାମର ଭବତୋଷ ଜେନା(୨୮), ରାଜେଶ ସେଠୀ (୩୩) ଓ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଖଇରା ଗ୍ରାମର ଗୋବିନ୍ଦ ଚନ୍ଦ୍ର ମହାରଥଙ୍କ ପତ୍ନୀ ମମତା (୪୮)। ସେମାନଙ୍କ ନିକଟରୁ ଗୋଟିଏ ହାତୀଦାନ୍ତ, ମହିନ୍ଦ୍ରା ଥର୍‌ (ଓଡି ୦୧ଏଟି ୦୨୦୧), ୪ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଗିରଫ ୪ ଜଣଙ୍କୁ ବନ ବିଭାଗ ନିଜ ହେପାଜତରେ ରଖି ଜେରା କରୁଛି। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ପାଣିକୋଇଲି ପୁଲିସ ଓ ଯାଜପୁରରୋଡ ବନ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ଫରେଷ୍ଟର ନୀଳିମା ପ୍ରିୟଦର୍ଶିନୀ ନାୟକ, ଗାର୍ଡ ସରସ୍ୱତୀ ସାହୁ, ସୋନାଲି ମାଝୀ, ନିର୍ମଳ ମଲ୍ଲିକ, ଅଜୟ କୁମାର ମଲ୍ଲିକ, ଶରତ ସ୍ବରୂପ ନାୟକ, ବୀରେନ୍ଦ୍ର ସେଠୀ ସାମିଲ ହୋଇଥିଲେ।