ସିଏଏଫ୍‌ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୪ ଯବାନ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ନକ୍ସଲ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନେ ହେଲେ ହେଡକନେଷ୍ଟବଲ ରିତେଶ୍ବର ଧ୍ରୁବ, ଯିତେନ୍ଦ୍ର ମାଣ୍ଡାରୀ, ଆସିତ ବାଟି ଏବଂ ଓମ ପ୍ରକାଶ ଦିବାନ।

ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ବିଜାପୁର ଜିଲ୍ଲାର କଟ୍ଟୁର ଥାନା ଅନ୍ତର୍ଗତ ଦରଭା ସିଏଏଫ୍‌ (ଛତିଶଗଡ଼ ଆର୍ମଡ ଫୋର୍ସ) କ୍ୟାମ୍ପ ଉପରେ ଅଚାନକ ନକ୍ସଲ ହମଲା କରିଦେଇଥିଲେ। ଯବାନ ରାତିରେ ଶୋଇଥିବା ବେଳେ ଅତର୍କିତ ଗୁଳି କରିଥିଲେ। କ୍ୟାମ୍ପ ଉପରକୁ ଆସିବା ଜାଣିବା ପରେ ସେଣ୍ଟ୍ରି ପଏଣ୍ଟରେ ଥିବା ଯବାନ ପାଲଟା ଜବାବ ଦେଇଥିଲେ।

ତେବେ ନକ୍ସଲ କ୍ୟାମ୍ପ ଉପରକୁ ବିଜିଏଲ ପକାଇଥିଲେ, ଯାହାଫଳରେ କ୍ୟାମ୍ପରେ ବୋମା ଫୁଟିଥିଲା। ରାତି ପ୍ରାୟ ସାଢେ ଏଗାରଟା ହେବ। ଯବାନ ନକ୍ସଲ ହମଲା ହୋଇଥିବା ଜାଣିବା ପରେ ନିଜ ନିଜ ପୋଜିସନ ନେଇ ନକ୍ସଲକୁ ପାଲଟା ଜବାବ ଦେଇଥିଲେ। ପ୍ରାୟ ୪ ଘଣ୍ଟା ଧରି ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ପଛଘୁଞ୍ଚା ଦେଇଥିଲେ।

ନକ୍ସଲ ଆକ୍ରମଣର ଶିକାର ହୋଇଥିବା ଗୁରୁତର ଯବାନମାନଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆଉ ଦୁଇ ଆହତଙ୍କୁ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯବାନ ନକ୍ସଲର ପିଛା କରି ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା କୁହାଯାଇଛି। କ୍ୟାମ୍ପ ଉପରକୁ ନକ୍ସଲ ହମଲା କରିବା ଘଟଣା ବିଜାପୁର ଜିଲ୍ଲାରେ ପ୍ରଥମ ବୋଲି କୁହାଯାଇଛି। ତେବେ କେହି ଯବାନ ମୃତ୍ୟୁବରଣ କରିନଥିବା କୁହାଯାଇଛି। ସେହିପରି ନକ୍ସଲ ପକ୍ଷରୁ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଜଣାପଡିନାହିଁ।

ସମ୍ବନ୍ଧିତ ଖବର