ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଦୁଇ ଜଣ ସାମ୍ବାଦିକ ଏବଂ ଦନ୍ତେୱାଡା ଜିଲ୍ଲାର ଦୁଇ ସାମ୍ବାଦିକଙ୍କୁ ଆନ୍ଧ୍ର ପୁଲିସ ଗଂଜେଇ ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା ମିଥ୍ୟା ଅଭିଯୋଗକୁ ଆଜି ୩ ରାଜ୍ୟର ସାମ୍ବାଦିକମାନେ ସୀମାନ୍ତ କୋଣ୍ଟା ଠାରେ ଏକତ୍ରିତ ହୋଇ କୋଣ୍ଟା ପୁଲିସ ଏବଂ ଆନ୍ଧ୍ର ପୁଲିସ ବିରୋଧରେ ଗର୍ଜିଥିଲେ। ମିଥ୍ୟା ଘଟଣାରେ ଫସେଇ ୪ ସାମ୍ବାଦିକଙ୍କୁ ଜେଲରେ ଭର୍ତ୍ତି କରିବା ନିନ୍ଦନୀୟ ଘଟଣା ବୋଲି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ୩ ରାଜ୍ୟର ସାମ୍ବାଦିକମାନେ ଏକତ୍ରିତ ହୋଇ ପୁଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ। ତୁରନ୍ତ ୪ ସମ୍ବାଦିକଙ୍କୁ ବିନା ସର୍ତ୍ତରେ ଛାଡିବାକୁ ଦାବି ହୋଇଥିଲା।

Advertisment

ପ୍ରକାଶ ଥାଉକି ଛତିଶଗଡ଼ର ୪ ସମ୍ବାଦିକ କୋଣ୍ଟାରେ ହେଉଥିବା ବାଲି ଚାଲାଣ ସଂପର୍କରେ ଖବର ପ୍ରକାଶ କରିବା ପରେ ସେମାନଙ୍କୁ ପୁଲିସ ଟାର୍ଗେଟ କରିଥିଲା। ଏହି ଚାରି ଜଣ କୋଣ୍ଟାର ଏକ ହୋଟେଲରେ ରହିଥିବା ବେଳେ ତାଂକ କାରରେ ପୁଲିସ ଗଂଜେଇ ରଖିଥିଲା। ଏଥିରେ କୋଣ୍ଟାର ଦୁଇ ସାମ୍ବାଦିକଙ୍କ ଭୁମିକା ରହିଥିଲା। ଏମାନେ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ଖବର ପାଇବା ପରେ ଆନ୍ଧ୍ରର ଚିନ୍ତୁର ଅଂଚଳକୁ ତଦନ୍ତ ପାଇଁ ଯାଉଥିଲେ। ଏହି ସମୟରେ ଚିନ୍ତୁର ପୁଲିସ ଏମାନଙ୍କୁ ଅଟକାଇ ଗାଡି ଯାଞ୍ଚ କରିବା ପରେ ସେଥିରୁ ଗଂଜେଇ ବାହାରିଥିଲା।

ତେବେ ସେମାନେ ଏନେଇ କିଛି ଜାଣିନଥିବା ବାରମ୍ବାର କହିବା ପରେ ମଧ୍ୟ ଆନ୍ଧ୍ର ପୁଲିସ ସେମାନଙ୍କୁ ଜେଲରେ ପୁରାଇଥିଲା। ଏନେଇ ସୁକମା ଏସପି କିରଣ ଚୌହାନ ତଦନ୍ତ କରି କୋଣ୍ଟାର ଥାନା ଅଧିକାରୀ ଅଜୟ ସୋନକର ସାମିଲ ଥିବା ପାଇବା ପରେ ପ୍ରଥମେ ନିଳମ୍ବିତ ଓ ପରେ ଜେଲରେ ଭର୍ତ୍ତି କଲେ। ସିସିଟିଭି ଫୁଟେଜରୁ ସବୁ ଧରାପଡିଥିଲା। ଏତିକିରେ ଏହି ଘଟଣା ଥମି ନାହିଁ। ଏହି ଘଟଣାରେ ସାମିଲ ଥିବା ଦୁଇ ସାମ୍ବାଦିକ ଫେରାର ରହିଛନ୍ତି। କୋଣ୍ଟାରେ ଆଜି ସାମ୍ବାଦିକମାନେ ଏକତ୍ର ହୋଇ ଦୁଇ ରାଜ୍ୟର ପୁଲିସ ବିରୋଧରେ ରଣହୁଙ୍କାର ଦେଇଥିଲେ। ତୁରନ୍ତ ଖଲାସ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ମାଲାକନଗିରି ୟୁନିଅନ ଅଫ ଜୋରନାଲିଷ୍ଟର ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ଶତାଧିକ ସାମ୍ବାଦିକ କୋଣ୍ଟାରେ ପହଞ୍ଚି ଧାରଣାରେ ସାମିଲ ହୋଇଥିଲେ।