ଜୟପୁର: ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରରେ ୪ଟି ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୬କୋଟି ଟଙ୍କା ଜୟପୁର ପୌରପାଳିକାକୁ ଅନୁଦାନ ମିଳିଛି। ଏହି ୪ଟିର ନିର୍ମାଣ କାମ  ପୂର୍ତ୍ତ ବିଭାଗକୁ କରିବାକୁ ଦାୟିତ୍ବ ଦିଆଯାଇଛି। ସହରର ୪ଟିର ସ୍ଥାନ ଚିହ୍ନଟ ହୋଇ ସାରିଥିବା ବେଳେ ଗୋଟାଏରେ ଜବରଦଖଲ ହୋଇଥିବାରୁ ଏହାକୁ ଜବରଦଖଲ ମୁକ୍ତ କରିବାକୁ ବାକି ରହିଛି।

Advertisment

ସୂଚନା ଅନୁଯାୟୀ, ସହରର ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଥିବା ଚିଠି ଓ ପ୍ରସ୍ତାବ, ପାରିଷଦ ମାନଙ୍କ ଅନୁରୋଧ କ୍ରମେ ଗୃହ ଓ ନଗର ଉନ୍ନୟନ ବିଭାଗ ଦେଢ଼ କୋଟି ଲେଖାଏଁ ୪ଟି ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଅନୁଦାନ ଦେଇଥିଲେ। ଏହା ପରେ ପୌରପ୍ରଶାସନ ପକ୍ଷରୁ ପୁରୁଣାଗଡ, ହାଟପଦା, ଖ୍ରୀଷ୍ଠୀୟାନ ପେଟା ଓ ହାନାଗୁଡାରେ ଜମି ଚିହ୍ନଟ କରାଯାଇଥିଲା। ସମସ୍ତ ୪ଟି ଯାକ କାମର ଟେଣ୍ଡର ସରିଲାଣି। ତେବେ ହାନାଗୁଡାର ସରକାରୀ ଜମି‌ ଜବରଦଖଲ ରହିଛି। ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଏହାର ସରଜମିନ୍ ନିରୀକ୍ଷଣ କରିଥିଲେ। ଜବରଦଖଲକାରୀଙ୍କୁ ସରକାରୀ ଜମିରୁ ଉଠିଯିବାକୁ ବି କହିଥିଲେ। ୪ଟି ଯାକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। ତେବେ ହାନାଗୁଡାର ଚିହ୍ନଟ ମଣ୍ଡପ ସ୍ଥାନ ଜବରଦଖଲ ହୋଇଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ ଦଶହରା ପରେ ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜବରଦଖଲକାରୀ ମାନେ ସହଯୋଗ କରିବେ ବୋଲି ସେ ଆଶାବାଦୀ ବୋଲି କହିଛନ୍ତି।