କୋରାପୁଟ: କୋରାପୁଟ ଜିଲ୍ଲା ଲେନ୍ଦିରିମାଳିଗୁଡା ବଙ୍ଗଳାଗୁଡା ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ନିର୍ମାଣ ହେବ ୪ ଥାକିଆ ପୋଲ। ଏନଏଚଏଆଇ ପକ୍ଷରୁ ସର୍ଭେ କରାଯାଇଥିବାବେଳେ ଆସନ୍ତା କେଇ ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ ହେବ। ଏହାସହ ଟେଣ୍ଡର କରାଯାଇ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅଦ୍ଦାଲ ଏମ. ଅଖତର। ସେ କହିଛନ୍ତି ଯେ ଏହିଠାରେ ଚାରିଥାକିଆ ପୋଲ ନିର୍ମାଣ ହେବା ଆବଶ୍ୟକ ପଡୁଥିବା ବେସରକାରୀ କିଛି ଚାଷୀ ପ୍ରଦାନ କରିଥିବାବେଳେ ସରକାରୀ ଜମିରେ ଏହା ଠିଆ ହେବ। ଏଥି ପାଇଁ ବ୍ଲୁପ୍ରଣ୍ଟ ସହ ଏନଏଚଆଇପକ୍ଷରୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଛି।
ବଙ୍ଗଳାଗୁଡାଠାରେ ୪୦ ଫୁଟ ଲମ୍ବର ବ୍ରିଜ୍ ୨୦ ଫୁଟ ତଳକୁ ଭୁଷୁଡି ପଡିବାକୁ ୧୦ ଦିନ ପୁରିଛି। ଏହାର ଡାହାଣ ପାର୍ଶ୍ବରେ ହ୍ୟୁମ ପାଇପ୍ ବିଛାଯାଇ କଙ୍କ୍ରିଟ ଦିଆଯାଇ ଅସ୍ଥାୟୀ ପୋଲ ତିଆରି କରାଯିବା ପକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ବରରୁ ଆସିଥିବା ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମହେଶ ମହାନ୍ତି ଓ ସଡ଼କ ଓ ପରିବହନ ମନ୍ତ୍ରାଳୟରୁ ଆରଓ ପ୍ରସନ୍ନ କୁମାର ସେନାପତିଙ୍କ ପରାମର୍ଶ କ୍ରମେ ଏହିଠାରେ କଙ୍କ୍ରିଟ ହ୍ୟୁମ ପାଇପ ପୋଲ ତିଆରି କରାଯିବା ପାଇଁ ପାଇପ ଆସି ପହଞ୍ଚିଥିବା ଜଣାପଡିଛି। ତେବେ କୋରାପୁଟରୁ ପୋଡାଗଡକୁ ଯୋଡୁଥିବା ଏହି ୩୨୬ ନମ୍ବର ଜାତୀୟ ରାଜପଥରେ ବଙ୍ଗଳାଗୁଡା ପରି ଆହୁରି ଏକାଧିକ ଦୁର୍ବଳ ପୋଲର ମଧ୍ୟ ସର୍ଭେ କରାଯାଇଛି। ଏଥିରେ ଦୁଇଟି ପୁରୁଣା ମେସିନାରୀ ପୋଲ ରହିଛି ତାହାକୁ ମଧ୍ୟ ହଟାଯାଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡିଛି। ପୋଡାଗଡ-କାକିରିଗୁମ୍ମା-ଲକ୍ଷ୍ମୀପୁର ଯାଏ ଆହୁରି ୨ଟି ବ୍ରିଜ୍ ରହିଛି। ଏହି ବ୍ରିଜ୍କୁ ମଧ୍ୟ ଭଙ୍ଗାଯାଇ ଅନୁରୁପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜଣାପଡିଛି।
ଏନେଇ ସୁନାବେଡା ଏନଏଚ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମହେଶ ମହାନ୍ତି ଓ ପ୍ରସନ୍ନ କୁମାର ସେନାପତିଙ୍କ ପରାମର୍ଶ କ୍ରମେ ଏହିଠାରେ କଙ୍କ୍ରିଟ ହୋମ ପାଇପ ପୋଲ ତିଆରି କରାଯବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହିଠାରେ ଚାରିଥାପିଆ ପୋଲ ହେବ। ଡିପିଆର ପ୍ରସ୍ତୁତ ସହ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଆରମ୍ଭ ହେଉଛି ବୋଲି ସେ କହିଛନ୍ତି।