ବନ୍ଧୁତାର ସମ୍ପର୍କ ସୁଦୃଢ କରିବା ପାଇଁ ଶାଢ଼ିରେ ୪ଟି ଭାଷାରେ ବାର୍ତ୍ତା ଲେଖିଲେ ବୁଣାକାର ବିଶ୍ବନାଥ ମେହେର

ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ ଓ ପ୍ରଶଂସା କଲେ ଲୋକେ

ବୀରମହାରାଜପୁର: ସଂସ୍କୃତରେ ଏ କ ଶ୍ଳୋକ ଅଛି ‘ଉତ୍ସବ ବ୍ୟସନେଚୈବ ଦୁର୍ବିକ୍ଷୈ ଶତ୍ରୁ ସଙ୍କଟେ ରାଜଦ୍ବାରେ ଶ୍ୱଶାନେଚ ତ ତିଷ୍ଟତି ସବାନ୍ଧବା।’ ପ୍ରକୃତରେ ବିପଦ ସମୟରେ ଯେଉମାନେ ନିଜ ପାଖରେ ଛିଡ଼ା ହୋଇଥାନ୍ତି ସେମାନଙ୍କୁ ବନ୍ଧୁ ବୋଲି ବିବେଚନା କରାଯାଏ । ପ୍ରତ୍ୟେକ ଦିନର କିଛିଟା ଗୁରୁତ୍ବ ରହିଛି । ବିଭିନ୍ନ ଦିବସ ପାଳନ କରିବା ଅବସରରେ ଅଗଷ୍ଟ ଏକ ତାରିଖକୁ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରାଯାଉଛି । ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ସମ୍ବଲପୁରୀ ପାଟ ଶାଢ଼ିରେ ଖୁବ୍ ସୁନ୍ଦର ଭାବରେ ବାନ୍ଧ କଳା ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ଚାରୋଟି ଭାଷାରେ ଜାତୀୟସ୍ତରୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବୁଣାକାର ବିଶ୍ବନାଥ ମେହେର।

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତର ଟିକ୍ରାପଡା ଗ୍ରାମର ବୁଣାକାର ବିଶ୍ବନାଥ ବହୁତ ସୁନ୍ଦର ଭାବରେ ଏହାକୁ ପାଟ ଶାଢ଼ି ବୁଣିବାରେ ଏକ ପ୍ରୟାସ କରିବାରେ ସଫଳ ହେଉଛନ୍ତି । ବିଶ୍ବନାଥ ମେହେରଙ୍କ କହିବା କଥା ଆଜି ବନ୍ଧୁତା ଦିବସ ସହିତ ସମ୍ବଲପୁରୀ ଦିନ ଗୋଟିଏ ଦିନରେ ପଡିଛି ଏଭଳି ଏକ ଦିନରେ ଏହି ଫ୍ରେଣ୍ଡ୍ ଶାଢ଼ି ସମାଜ ପାଇଁ ଉତ୍ସର୍ଗୀକୃତ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଥିରେ ୪ଟି ଭାଷାରେ ଲେଖାଯାଇଛି ।

ଶାଢ଼ିର ମୁହଁ ଓ ଦେହରେ ଓଡିଆରେ ଲେଖା ହୋଇଛି ଦରକାର ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ବଙ୍ଗଳା ଭାଷାରେ ଲେଖା ହୋଇଛି ‘ଏକ ଜନ ସତ୍ୟକାରେର ବନ୍ଧୁ ତୋମାକେ ସାମନେର ଦିକେ ଏଗିୟେ ନିୟେ ଯାବେ।’ ସେହିପରି ଇଂରାଜୀରେ ‘ଫ୍ରେଣ୍ଡସିପ୍ ଇଚ୍ ନଟ୍ ଏ ବିକଥିଙ୍ଗ୍, ଇଟ୍ ଏ ମିଲିଅନ୍ ଲିଟିଲ୍ ଥିଙ୍ଗସ୍’ ଓ ହିନ୍ଦୀରେ ଏକ୍‌ ଦୋସ୍ତସେ ବେହେତର୍ ଔର କୁଛ୍ ନୈହି ହୋ ସକ୍‌ତା ଲେଖା ହୋଇଛି।’

ବିଶ୍ବନାଥ ମେହେର କହିଛନ୍ତି, ଏଭଳି ଏକ ସମ୍ବଲପୁରୀ ପାଟ ଶାଢ଼ିର ପରି କଳ୍ପନା ୨୦୨୦ ଲକଡାଉନ୍ ସମୟରେ ମୋର ଗୁରୁ ପ୍ରଫୁଲ୍ଲ କୁମାର ମେହେର ଦେଇଥିଲେ । କିନ୍ତୁ ଏହି ଡିଜାଇନ୍ କରୋନା କଟକଣା ଯୋଗୁଁ ତାହା ୨୦୨୦ରେ ସମ୍ଭବ ହୋଇପାରିନଥିଲା । ଏବର୍ଷ ତାକୁ କରିବା ପାଇଁ ସଂକଳ୍ପବଦ୍ଧ ଭାବରେ ସମସ୍ତେ ମିଶି କାର୍ଯ୍ୟ କରିଥିଲୁ । ଏହାର ବାନ୍ଧ କାମ କରିଛନ୍ତି କେନ୍ଦୁପାଲି ଗ୍ରାମର ଯୁବ ବାନ୍ଧ କଳା କାର ସତ୍ୟ ମେହେର । ବୁଣିବାରେ ମୋତେ ସାହାଯ୍ୟ କରିଛନ୍ତି ଡୁଳାମଣି ମେହେର । ଏହି ଶାଢ଼ିଟି ତିଆରି କରିବା ପାଇଁ ଦୁଇ ମାସ ପନ୍ଦର ଦିନ ଲାଗିଥିଲା । ପ୍ରଥମେ ପେପର୍ ଡିଜାଇନ୍ ଆସିବା ପରେ ସୁତା ପୁରା, ତାପରେ କମଡାରେ ଲଗାଇ ବାନ୍ଧ ବନ୍ଧା ଯାଇଥିଲା। ଏହାପରେ ରଙ୍ଗ କରାଯାଇଥିଲା । ଘୁର୍ଣ୍ଣି କରାଯାଇ ପୁଣି ଥରେ ରଙ୍ଗ କରି ତନ୍ତରେ ଲଗାଇ ମୁଁ ଏହି ସମ୍ବଲପୁରୀ ପାଟ ଶାଢ଼ି ବୁଣିଛି, ଯାହାର ମୂଲ୍ୟ ୨୧ ହଜାର ଟଙ୍କା ରଖାଯାଇଛି । ବିଶ୍ବନାଥ ମେହେରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ସମ୍ବନ୍ଧିତ ଖବର