‘ବାଟା’ ପାଇଁ ହଟହଟା! ୩୦ ଟଙ୍କାରେ ଅଭିଯୁକ୍ତଙ୍କୁ ଚାରିଓଳିର ଖାଦ୍ୟ

୨୦୧୫ରୁ ନିଷ୍ପତ୍ତି ବଦଳୁନି, କାହା ପକେଟ୍‌ରୁ ପଇସା ଯାଉଛି?

କଟକ: ଥାନାରେ ଅଟକ ରହୁଥିବା ଅଭିଯୁକ୍ତଙ୍କ ପାଇଁ ଦୈନିକ ଖାଇବା ବାବଦରେ ମାତ୍ର ୩୦ ଟଙ୍କା ଦେଉଛି ପୁଲିସ ବିଭାଗ। ସରକାର ଦେଉଥିବା ଏହି ଟଙ୍କାକୁ ‘ବାଟା’ ବୋଲି କୁହାଯାଏ। ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିର ଦିନକୁ ଚାରି ଓଳି ଖାଇବା ଖର୍ଚ୍ଚ ଏହି ୩୦ ଟଙ୍କାରେ କିଭଳି ସମ୍ଭବ ହେବ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ତେବେ, ଏହାକୁ ନେଇ ଉଭୟ ଅଭିଯୁକ୍ତ ଏବଂ ଥାନାର କର୍ମଚାରୀଙ୍କୁ ହଟହଟା ହେବାକୁ ପଡ଼ୁଛି। ଗୋଟିଏପଟେ, ଏତେ କମ୍‌ ଟଙ୍କାରେ ମିଳୁଥିବା ଖାଦ୍ୟରେ ଅଭିଯୁକ୍ତଙ୍କ ପେଟ ପୂରୁନି। ଅନ୍ୟପଟେ, ନିର୍ଦ୍ଧାରିତ ଟଙ୍କାରେ କିଭଳି ଖାଦ୍ୟଦେବେ ତାହା ଥାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ପୁଲିସ ବାବୁ ପକେଟରୁ ଟଙ୍କା ଖର୍ଚ୍ଚ କରୁଛନ୍ତି, ନଚେତ୍‌ ଏହା ଦୁର୍ନୀତିକୁ ବାଟ କଢାଉଛି। ୨୦୧୫ରେ ପୁଲିସ ବିଭାଗ ଖାଇବା ଖର୍ଚ୍ଚ ବାବଦ ସର୍କୁଲାର ଜାରି ହୋଇଥିବାବେଳେ ସେଥିରେ କେବେ ପରିବର୍ତ୍ତନ ହେବ, ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଓଡ଼ିଶାରେ ବ୍ରିଟିଶ୍‌ ଶାସନ ସମୟରେ ପୁଲିସ ବ୍ୟବସ୍ଥା ଆରମ୍ଭ ହୋଇଥିଲା। କୁହାଯାଏ, ୧୮୬୧ ମସିହାରୁ ଅଭିଯୁକ୍ତଙ୍କୁ ଥାନାରେ ଖାଇବା ବାବଦ ଖର୍ଚ୍ଚ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ସେ ସମୟରେ ଥାନାରେ ଅଭିଯୁକ୍ତଙ୍କୁ ମୁଢ଼ି, ଚୁଡ଼ା କିଣି ଖାଇବାକୁ ଦିଆଯାଉଥିଲା। , ଆରମ୍ଭରୁ କଏଦୀଙ୍କୁ କେତେ ଟଙ୍କା ମିଳୁଥିଲା ସେ ନେଇ ଯଦିଓ ସ୍ପଷ୍ଟ ତଥ୍ୟ ନାହିଁ। କିନ୍ତୁ ୧୯୬୭ ମସିହା ବେଳକୁ ଜଣେ କଏଦୀ ପିଛା ଦିନକୁ ବାର ଅଣା ମିଳୁଥିଲା ବୋଲି ଜଣାପଡ଼ିଛି। ସେ ସମୟରେ ସବଡିଭିଜନ୍ ମୁଖ୍ୟ ଥିବା ଏସ୍‌ଡିଓ (ଜଣେ ଓଏଏସ୍ ଅଫିସର) ଏହି ଟଙ୍କା ଥାନା ବାବୁଙ୍କୁ ଦିଅନ୍ତି। ୧୯୬୭-୬୮ ମସିହାରେ ପୁଲିସ ବିଭାଗର ମୁଖ୍ୟ ଆଇଜିଙ୍କ ହାତକୁ ଏହି ଟଙ୍କା ବଣ୍ଟା କ୍ଷମତା ଚାଲିଗଲା। ପରେ ଡିଜି ଏହାର ଦାୟିତ୍ବରେ ରହିଲେ। ୧୯୭୫-୭୬ରେ ପ୍ରତି ମିଲ୍ ପିଛା ୫୬ ପଇସା ଦିଆଯାଉଥିଲା। ପରିସ୍ଥିତି ଏଭଳି ଥାଏ ଯେ କଏଦୀଙ୍କୁ ମିଲ୍ ବଦଳରେ ପକୁଡ଼ି, ବରା ଦେଉଥିଲେ ଥାନା ବାବୁ। ସମୟକ୍ରମେ ୨ ଟଙ୍କା ଓ ୧୫ ଟଙ୍କା ରଖାଗଲା। କଏଦୀଙ୍କୁ ଦିଆଯାଉଥିବା ଏହି ଟଙ୍କା ୨୦୧୫ ଫେବ୍ରୁଆରି ୧୩ ତାରିଖରେ ପୁଲିସ ସର୍କୁଲାର ଅର୍ଡର(୩୫୪/୨୦୧୫)ବଳରେ ବୃଦ୍ଧି କରାଯାଇଥିଲା।

ଏହି ଖାଇବା ଖର୍ଚ୍ଚ ଦୁଇ ପ୍ରକାରର ଧାର୍ଯ୍ୟ ହେଲା। କୌଣସି ଆଇନଶୃଙ୍ଖଳା ପରିସ୍ଥିତି, ଧାରଣା କିମ୍ବା ବିକ୍ଷୋଭକୁ ଦୃଷ୍ଟିରେ ପୁଲିସ ଆଗୁଆ ଗିରଫ କରି ଥାନାରେ ଅଟକ ରଖୁଥିବା ବ୍ୟକ୍ତିଙ୍କୁ ଗୋଟିଏ ମାତ୍ର ମିଲ୍ ଦେବାକୁ ୨୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିଭଳି ଅପରାଧିକ ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିବାଠାରୁ ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର କରିବା ପର୍ଯ୍ୟନ୍ତ ଦୈନିକ ୩୦ ଟଙ୍କା ଖାଇବା ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି। ଏହି ଦୁଇଟି ପ୍ରକାର ଖର୍ଚ୍ଚରେ କେବଳ ମିଲ୍ ଦେବାକୁ ସ୍ଥିର ହୋଇଛି। ଏଥିରେ କୌଣସି ଜଳଖିଆ ଦେବାର ବ୍ୟବସ୍ଥା ନାହିଁ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଜଣେ ଅଭିଯୁକ୍ତ ଥାନାରେ ଅଟକ ରହିଲେ ସକାଳ ଜଳଖିଆ ଅତି କମରେ ୨୦ ଟଙ୍କା, ଖରାବେଳ ମିଲ୍ ପିଛା ୬୦ରୁ ୭୦ ଟଙ୍କା, ରାତିରେ ରୁଟି ଓ ତରକାରୀ ୪୦ ଟଙ୍କା ଖର୍ଚ୍ଚ ହେଉଛି। ଅତି କମରେ ଦିନକୁ ୧୨୦ରୁ ୧୩୦ ଟଙ୍କା ଜଣେ ଅଭିଯୁକ୍ତ ପିଛା ଥାନାବାବୁ ଖର୍ଚ୍ଚ କରୁଛନ୍ତି। ଅଥଚ ରାଜ୍ୟ ସରକାର ଜଣେ ଅଭିଯୁକ୍ତ ପିଛା କେବଳ ମିଲ୍ ବାବଦ ଦୈନିକ ୩୦ ଟଙ୍କା ଦେବା ସମସ୍ୟାର କାରଣ ହୋଇଛି। ଅନ୍ୟପଟେ ଏଥିରେ ଅଭିଯୁକ୍ତର ମାନବାଧିକାର ଉଲ୍ଲଂଘନ ହେଉଛି। ଥାନାରେ ଅଟକ ରହୁଥିବା ଅଭିଯୁକ୍ତଙ୍କ ଖାଦ୍ୟ ପରିବାର ଲୋକେ ଆଣିକି ଦେଉଛନ୍ତି ନଚେତ୍‌ ତଦନ୍ତକାରୀ ପୁଲିସ ଅଧିକାରୀ ନିଜ ପକେଟରୁ ଖର୍ଚ୍ଚ କରି ଦୈନିକ ଚାରି ଓଳି ଖାଇବା ଆଣି ଦେଉଛନ୍ତି।

ରାଜ୍ୟ ସମସ୍ତ ଥାନାର ବ୍ୟବସ୍ଥା ଏଭଳି ଢଙ୍ଗରେ ଚାଲିଛି। ୨୦୨୧ ମାର୍ଚ୍ଚ ୫ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଶୀର୍ଷକ ‘ଚାରି ଓଳି ଖାଦ୍ୟ ପାଇଁ ୬୪ ଟଙ୍କା’ ଖବର ପ୍ରକାଶ ପରେ ରାଜ୍ୟର ୮୭ଟି ଜେଲ୍‌ରେ ଥିବା କଏଦୀଙ୍କ ଦୈନିକ ଖାଦ୍ୟ ମୂଲ୍ୟ ୬୪ ଟଙ୍କାରୁ ୮୦ ଟଙ୍କାକୁ ଗଲା ଏପ୍ରିଲ ୧୮ ତାରିଖରେ ଗୃହ ବିଭାଗ ବୃଦ୍ଧି କରିଛି। ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ନ୍ୟୁଟ୍ରିସନ୍(ଏନଆଇଏନ୍)ର ସୁପାରିସ ଆଧାରରେ ଦୈନିକ କଏଦୀ ପିଛା ୨୮୧୬.୭୪ କ୍ୟାଲୋରି ଖାଦ୍ୟ ଦେବାକୁ ଗୃହ ବିଭାଗକୁ ସୁପାରିସ କରିଥିବା ବେଳେ ଥାନାର ବିକଳ ଚିତ୍ର ପୁଲିସ ଅଧିକାରୀଙ୍କୁ ଚିନ୍ତାରେ ପକାଇଲାଣି। ୨୦୨୦ ବର୍ଷରେ ରାଜ୍ୟରେ ଅପରାଧିକ ମାମଲାରେ ୬୨ ହଜାର ୩୯୭ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ଅଭିଯୁକ୍ତଙ୍କୁ ପୁଲିସ ଦିନକୁ ୩୦ ଟଙ୍କାରେ କିଭଳି ଖାଇବାକୁ ଦେଇଛି, ଏହା ଏକ ବିତର୍କର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର