ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ମେଡିକାଲ କଲେଜ

ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ୧୭୫୦କୁ ବଢ଼ିବ, ଏବର୍ଷ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ଓ କେନ୍ଦୁଝର

ଭୁବନେଶ୍ୱର : ମେଡିକାଲ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ୨୦୧୭-୧୮ରୁ ପର୍ଯ୍ୟାୟକ୍ରମେ ରାଜ୍ୟରେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେଉଛି। ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ ଓ ବଲାଙ୍ଗୀରରେ, ୨୦୧୮-୧୯ରେ ବାରିପଦା ଓ ବାଲେଶ୍ୱରରେ, ୨୦୨୧-୨୨ରେ ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଆସନ୍ତା ୩ଟି ଶିକ୍ଷାବର୍ଷରେ ଆଉ ୪ଟି ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ଶିକ୍ଷାବର୍ଷ ତଥା ୨୦୨୨-୨୩ରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନ୍ୟାସନାଲ ମେଡିକାଲ କମିସନ(ଏନ୍‌ଏମ୍‌ସି)ର ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି, ନିର୍ଦ୍ଧାରିତ ସଂଖ୍ୟକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି କରିସାରିଛନ୍ତି। ସେହିପରି ୨୦୨୩-୨୪ରେ ଭବାନୀପାଟଣାରେ, ୨୦୨୪-୨୫ରେ ଯାଜପୁର ଓ ଫୁଲବାଣୀରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଉକ୍ତ କଲେଜଗୁଡ଼ିକ ପ୍ରତିଷ୍ଠା ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନସ୍ଥ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ପାଇବ। ଆଗକୁ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଏହା ଖୁବ୍‌ ସହାୟକ ହେବ।

ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାଜ୍ୟର ସ୍ୱାର୍ଥ ପାଇଁ ଦୁଇଟି ୧୦୦ ଏମ୍‌ବିବିଏସ୍‌ ସିଟ୍‌ ବିଶିଷ୍ଟ କଲେଜ ଖୋଲିବା ପାଇଁ ଏନ୍‌ଏମ୍‌ସିକୁ ଆବେଦନ କରିଛନ୍ତି। ଏନ୍‌ଏମ୍‌ସି ମାପଦଣ୍ଡ ଅନୁଯାୟୀ ପ୍ରଥମ ବର୍ଷରୁ ପ୍ରତି ୬ଟି ପ୍ରାଧ୍ୟାପକ, ୨୦ଟି ସହଯୋଗୀ ପ୍ରାଧ୍ୟାପକ ଓ ୨୪ଟି ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ଦେବା ପାଇଁ କଟକ ଓ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରୁ ନୂତନ ଦୁଇ ମେଡିକାଲ କଲେଜକୁ କିଛି ସହଯୋଗୀ ପ୍ରାଧ୍ୟାପକଙ୍କୁ ବଦଳି କରାଯାଇଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ(ଏମ୍‌କେସିଜି)ରେ ସମୁଦାୟ ୩୫ଟି ବିଭାଗରେ ମୋଟ ପ୍ରାଧ୍ୟାପକ ପଦ ସଂଖ୍ୟା ୩୯ ରହିଛି। ସେଥିମଧ୍ୟରୁ ୩୫ଟି ପଦରେ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଏବଂ ୪ଟି ପଦ ଖାଲି ପଡ଼ିଛି। ସେହିପରି ୮୧ଟି ସହଯୋଗୀ ପ୍ରାଧ୍ୟାପକ ପଦରୁ ୫୧ଟି ପଦରେ ସହଯୋଗୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି। ୩୦ଟି ପଦ ଖାଲି ପଡ଼ିଛି। ୧୬୩ ସହକାରୀ ପ୍ରାଧ୍ୟାପକ ପଦରୁ ୧୫୩ଟି ପଦରେ ସହକାରୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଏବଂ ୧୧ଟି ଖାଲି ରହିଛି।

ଏମ୍‌କେସିଜିକୁ ଏକ ଅଗ୍ରଣୀ ମହାବିଦ୍ୟାଳୟରେ ପରିଣତ କରିବା ଲାଗି ମେ’, ୧୭ ଓ ୧୯ ତାରିଖରେ ରାଜ୍ୟ ସରକାର ୧୧ଜଣ ସହକାରୀ ପ୍ରାଧ୍ୟାପକ, ୧୬ଜଣ ଟିଉଟର୍‌ ଓ ୪ଜଣ ସିନିୟର୍‌ ରେସିଡେଣ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାବ୍ୟତୀତ ୩୫ଜଣ ସିନିଅର ରେସିଡେଣ୍ଟଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ସପ୍ତାହରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ବର୍ତ୍ତମାନ ସମୟରେ ସିନିଅର ରେସିଡେଣ୍ଟ ଓ ଟିଉଟର୍‌ର ମୋଟ ୧୬୪ ପଦରେ ୯୧ଜଣ କାର୍ଯ୍ୟରତ ଅଛନ୍ତି। ଆଉ ୩୫ଜଣ ସପ୍ତାହକ ମଧ୍ୟରେ କାର୍ଯ୍ୟରେ ଯୋଗଦେବା ପରେ ୧୨୬ଟି ପଦ ପୂରଣ ହେବ। ସରକାର ପଦୋନ୍ନତି, ବଦଳି ଓ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ବଳକା ଥିବା ପଦ ପୂରଣ ପାଇଁ ବିହିତ ପଦକ୍ଷେପ ନେବା ସହ ଏହି ଭେଷଜ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସୁବ୍ୟବସ୍ଥା କରାଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର