ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଠେଲକଲୋଇ ପୁଲିସ ଏକ ଅନ୍ତଜିଲ୍ଲା ଗାଡ଼ି ଚୋର ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସ ୨ଟି ଦୁଇ ଚକିଆ ଓ ୨ଟି ଚାରିଚକିଆ ଚୋରି ଗାଡ଼ି ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି।

Advertisment

ଠେଲକଲୋଇ ଥାନା ଅନ୍ତର୍ଗତ ଜେଏସ୍‌ଡବ୍ଲୁ ଭୂଷଣ କାରଖାନାରେ କାର୍ଯ୍ୟରତ ୨ ଜଣ କର୍ମଚାରୀ ମନୋଜ ଜେନା ଓ ରଘୁନନ୍ଦନ ସାଙ୍କ ବାଇକ (ଓଡି ୨୩ ଏ ୨୬୯୭) ଓ (ଓଆର୍‌ ୧୫ ସି ୩୮୪୪) ଭୂଷଣ କାରଖାନାର ଗେଟ ସମ୍ମୁଖରୁ ଗତ ୧୬ ତାରିଖରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଅନୁସନ୍ଧାନ ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେନ୍ଦୁଗୁଡ଼ା ଗାଁର ଅଭିଯୁକ୍ତ ସୋନୁ ଓରଫ୍‌ ମିର ନାଜିର ଅଲି (୨୫ ବର୍ଷ) ଏବଂ ସୟଦ ନାଜିମ ଅଖତର (୨୪ ବର୍ଷ)ଙ୍କୁ ପୁଲିସ ଧରିଥିଲା। ସେମାନଙ୍କ ପାଖରୁ ଗୋଟିଏ ବାଇକ୍‌ ଜବତ କରାଯାଇଥିଲା। ଅନ୍ୟ ବାଇକଟି ସେମାନେ ଚୋରି କରିଥିବା ସ୍ବୀକାର କରିଥିଲେ। ମାତ୍ର ଗାଡ଼ିଟି ରାସ୍ତାରେ ବନ୍ଦ ହୋଇଯିବାରୁ ରେଙ୍ଗାଲିର ପରଦେଶୀପାଲି ନିକଟରେ ଉକ୍ତ ବାଇକଟିକୁ ଛାଡି ଦେଇଥିବା କହିଥିଲେ। ତେବେ ଏକ ଟ୍ରକ୍‌ (ଓଡି ୧୫ ଏ ୪୧୫୫)ର ଚାଳକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ମାଣିଗୁଡ଼ାର ଏସ୍‌କେ ଉମର (୪୦ ବର୍ଷ) ମାଷ୍ଟର ଚାବି ବ୍ୟବହାର କରି ବାଇକ ଚୋରିରେ ସାହାଯ୍ୟ କରିଥିବା ସୋନୁ ପୁଲିସ ଆଗରେ ସ୍ବୀକାର କରିଥିଲା।

ସେହିପରି ସେ ଏସ୍‌କେ ଉମରଙ୍କ ସହ ଲଖନପୁରର କୁଡାଲୋଇରୁ ଗୋଟିଏ ବଲେରୋ (ଓଆର୍‌ ୨୩ ଇ ୩୪୯୧) ଚୋରି କରି କ୍ରିସାନନ୍ଦପୁରର ଆସଫାକୁ ବିକ୍ରି କରିଥିଲେ। ସେମାନେ ପାଟକୁରା ହାଲିହାଟାରୁ ଏକ ନମ୍ବର ବିହୀନ ଟାଟାଏସ୍ ଗାଡି ଚୋରି କରି ରେହମାଦ୍ ଅଲି ଖାନଙ୍କୁ ବିକ୍ରି କରିଥିଲେ। ସେହିପରି ସେମାନେ ଏକ ବାଇକ୍‌ (ଓଡି ୦୫ ଜି ୦୯୪୧)କୁ ନୟାଗଡ଼ର ପ୍ରଶାନ୍ତ ପୃଷ୍ଟି (୪୨)ଙ୍କୁ ବିକ୍ରି କରିଥିବା କହିଛନ୍ତି। ତେବେ ପୁଲିସ ସେମାନଙ୍କ ନିକଟରୁ ୨ଟି ବାଇକ୍‌ (ଓଡି ୨୩ ଏ ୨୬୯୭) ଓ (ଓଡି ୦୫ ଜି ୦୯୪୧), ୨ଟି ଚାରିଚକିଆ ଗାଡ଼ି (ଓଆର୍‌ ୨୩ ଇ ୩୪୯୧) ଓ ଏକ ନମ୍ବର ବିହିନୀ ଟାଟାଏସ୍‌ ଗାଡ଼ିକୁ ଜବତ କରିଛି। ସୋନୁ ଓରଫ୍‌ ମିର ନାଜିର ଅଲି, ସୟଦ ନାଜିମ ଅଖତର, ଏସ୍‌କେ ଉମର ଓ ଚୋରି ବାଇକ କିଣିଥିବା ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି।