ନବରଙ୍ଗପୁର: ଏକ ବନ୍ଦ ମୋବାଇଲ ଦୋକାନରେ ତାଲା ଭାଙ୍ଗି ୨ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଚୋରି ମାମଲାରେ ୪ ଜଣ ନାବାଳକଙ୍କୁ କାବୁ କରିଛି ଡାବୁଗାଁ ଥାନା ପୁଲିସ। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷିକା ଏସ.ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ଡାବୁଗାଁ ଥାନା ଅନ୍ତର୍ଗତ ଡିଏନକେ ଚାଟିଗୁଡା ଗ୍ରାମରେ ଗତ ୬ ତାରିଖ ରାତିରେ ମୋବାଇଲ ଦୋକାନ ମାଲିକ ଅଭୟ ଦତ୍ତ ସବୁଦିନ ଭଳି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳୁ ତାଙ୍କ ଦୋକାନର କବାଟ ଖୋଲାଯାଇଥିବା ନେଇ ପଡୋଶୀ ଦୋକାନ ମାଲିକ ଖବର ଦେଇଥିଲେ। ଦୋକାନ ମାଲିକ ଅଭୟ ଆସି ଦୋକାନ ଖୋଲିବା ବେଳେ ତାଙ୍କ ଦୋକାନରୁ ୨୦ରୁ ଊର୍ଦ୍ଧ୍ବ ମୋବାଇଲ, ନଗଦ ୨୦ ହଜାର ଟଙ୍କା, ଗୋଟିଏ ଲେମିନେସନ୍ ମେସିନ୍, ଗୋଟିଏ ମୋନିଟର ଓ କିଛି ମୋବାଇଲ ଜିନିଷ ଚୋରି ହୋଇଥିବା ନେଇ ଡାବୁଗାଁ ଥାନାରେ ଗତ ୭ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ।
ଥାନା ଅଧିକାରୀ ସୁନୀଲ ପ୍ରଧାନ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ। ତଦନ୍ତ ବେଳେ ଘଟଣା ଦିନ ରାତିରେ ଦୋକାନ ନିକଟରେ ଜଣେ ନାବାଳକ ବୁଲାବୁଲି କରୁଥିବା ନେଇ ପୁଲିସକୁ ଖବର ଦେବା ପରେ ପୁଲିସ ଏହି ନାବାଳକକୁ ପଚରା ଉଚରା କରିବା ବେଳେ ଏହି ଚୋରି ମାମଲାରେ ମୋଟ ୪ ଜଣ ନାବାଳକ ସମ୍ପୃକ୍ତ ଥିବା ଜାଣି ୪ ଜଣଙ୍କୁ କାବୁ କରିବା ରେ ସଫଳ ହୋଇଥିଲା। ସେମାନଙ୍କ ଠାରୁ ନଗଦ ୧୫ ହଜାର ଟଙ୍କା, ୧୨ ଗୋଟି ନୂଆ ଓ ୮ ଗୋଟି ପୁରୁଣା ମୋବାଇଲ, ଲେମିନେସନ୍ ମେସିନ୍, ମୋନିଟର ଓ ମୋବାଇଲ ସାମଗ୍ରୀ ଜବତ କରିଥିଲା। ଏହି ୪ ଜଣଙ୍କୁ ଭବାନୀପାଟଣାସ୍ଥିତ ଜୁଭିନାଲ ଜଷ୍ଟିସ୍ ବୋର୍ଡର ପ୍ରମୁଖ ବିଚାରପତିଙ୍କ ନିକଟରେ ହାଜର କରାଯିବ ବୋଲି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି ଡଃ .ଚନ୍ଦ୍ର ଶେଖର ହୋତା ଓ ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ଉପସ୍ଥିତ ରହିଥିଲେ।