ଗରଦପୁର/ବଣାଇଁଗଡ଼ : ଦୁଇଟି ପୃଥକ୍ ସ୍ଥାନରେ ନଦୀରେ ଭାସି ଯାଇ ୪ ଜଣ ନିଖୋଜ ହୋଇଯାଇଛନ୍ତି। ଖବର ହସ୍ତଗତ ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳିନାହିଁ।
ଏହି ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ବ୍ଲକ୍ ମଧୁଶାସନ ପ˚ଚାୟତର ଚାଟରା ଗ୍ରାମରେ ଘଟିଛି। ଆଜି ଦିନ ପ୍ରାୟ ୧୨ଟା ସମୟରେ ସେହେରାବ ଅଲୀଙ୍କ ପୁଅ ସେକ ସବୁଲ ଅଲୀ(୧୦) ଓ ରାଜୁ ସାଓନଙ୍କ ପୁଅ ଅଜିଜ୍ ସାୱନ(୧୫) ଚିତ୍ରୋତ୍ପଳା ନଦୀରେ ଗାଧୋଉଥିଲେ। ବମ୍ବେରୁ ସେହେରାବଙ୍କ ଘରକୁ ବୁଲି ଆସିଥିବା ସେଠାକାର ଗ୍ୟାରେଜ୍ ସହଯୋଗୀ ଅଭିଷେକ(୩୨) ଏହି ସମୟରେ ନଦୀ କୂଳରେ ଗାଧୋଉଥିଲେ। ଅସାବଧାନତାରୁ ସବୁଲ ଅଲୀ ଓ ଅଜିଜ୍ ସାୱନ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ନିକଟରେ ଥିବା ଅଭିଷେକ ତୁରନ୍ତ ନଦୀସ୍ରୋତକୁ ଡେ଼ଇଁ ବୁଡ଼ିଯାଉଥିବା ୨ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରଥମେ ଅଜିଜ୍ ସାୱନଙ୍କୁ ଉଦ୍ଧାର କରି କୂଳରେ ଛାଡ଼ିବା ପରେ ସେ ସବୁଲ ଅଲୀକୁ ଉଦ୍ଧାର କରିବା ପାଇଁ ପୁଣି ସୁଅକୁ ଯାଇଥିଲେ। ହେଲେ, ସବୁଲ ଅଲୀ ଓ ନିଜେ ଅଭିଷେକ ନଦୀସ୍ରୋତରେ ନିଖୋଜ ହୋଇଯାଇଥିଲେ।
ସେହିଭଳି ଅନ୍ୟ ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ତର ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ବ୍ରାହ୍ମଣୀନଦୀରେ ଘଟିଛି। ରାଉରକେଲା ବାସନ୍ତୀ କଲୋନି ଅଞ୍ଚଳର କେତେକ ନାବାଳକ ଛାତ୍ର ଭୋଜି କରିବାକୁ ଆସି ନଦୀରେ ଗାଧୋଉଥିଲେ। ମାତ୍ର, ପ୍ରସନ୍ନ ସାହୁ(୧୪) ଓ ଆଇୟନ ଟକ୍(୧୪) ନାମକ ଦୁଇ ଜଣ ନବମ ଶ୍ରେଣୀର ଛାତ୍ର ନଦୀରେ ଗୋଡ଼ ଧୋଉ ଧୋଉ ପାଣି ସୁଅରେ ଭାସି ଯାଇଥିଲେ। ଏଣେ ଦୁଇଜଣ ନାବାଳକ ନିଖୋଜ ହେବାପରେ ତାଙ୍କୁ ଆଣିଥିବା ଟିଉସନ ଶିକ୍ଷକ ଏବଂ ତାଙ୍କ ପତ୍ନୀ ସେଠାରେ ସଂଜ୍ଞାହୀନ ହେବାର ଅଭିନୟ କରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ଏହି ବିରତୋଳା ନଦୀ ଶଯ୍ୟା ପିକନିକ ପାଇଁ ନିଷିଦ୍ଧ ଥିବାବେଳେ ସେମାନେ କିପରି ସେଠାକୁ ବଣଭୋଜି ପାଇଁ ଗଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଉଭୟ ସ୍ଥାନରେ, ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରୁଥିଲେ ହେଁ ଏଯାଏ ସେମାନଙ୍କର ପତ୍ତା ମିଳି ନ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/drown-in.jpg)