ବେତନଟୀ ସଦର: ବିଜେପି ବିଧାୟକ ସନାତନ ବିଜୁଳିଙ୍କ ଅଭିଯୋଗ ପରେ ନିର୍ବାଚନ ମଣ୍ଡଳୀ ଅଧୀନ ବେତନଟୀ ବ୍ଲକର ବିଭିନ୍ନ ଗ୍ରାମରେ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ କରି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ନିୟୋଜିତ ହୋଇଥିବା ମିସନ ଶକ୍ତିରେ କାର୍ଯ୍ୟରତ ୪ ମହିଳା ଅଧିକାରୀ ନିଲମ୍ବନ ହୋଇଛନ୍ତି। ସେମାନେ ହେଲେ ନଡ଼ପୁର ଅଞ୍ଚଳର ସୁମତୀ ମିଶ୍ର (ଭିଆରପି, ଇସି ମେମ୍ବର), ପୁରୁଣିଆ ପଞ୍ଚାୟତର ସ୍ନେହଲତା ସେଠୀ (ଭିଆରପି, ଇସି ମେମ୍ବର, ଧାନ ଫାଉଣ୍ଡେସନର ସଦସ୍ୟା), ପାଟୁଳିପୁରା ପଞ୍ଚାୟତର ସ୍ନେହଲତା ପାଣି (ଭିଆରପି, ଇସି ମେମ୍ବର), କଳମା ପଞ୍ଚାୟତର ସବିତା ଜେନା (ଭିଆରପି)।

Advertisment

publive-image

ସୂଚନା ଅନୁଯାଇ ବେତନଟୀ ବ୍ଲକ ମିସନ ଶକ୍ତିରେ କାର୍ଯ୍ୟରତ ଉପରୋକ୍ତ ୪ ଅଧିକାରୀ ଗାଁ ଗାଁ ବୁଲି ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ଭୋଟ ମାଗୁଛନ୍ତି ଓ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଉଛନ୍ତି। ସେମାନେ ବିଜେଡ଼ି ଦଳୀୟ ସଭାରେ ଯୋଗଦେଉଥିଲେ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସଭାସ୍ଥଳକୁ ଡାକି ଏକଜୁଟ କରାଉଥିଲେ। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଭାଜପା ଅଭିଯୋଗ କରିଥିଲା।ଏହାକୁ ନେଇ ବିଜେପିର ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି ୫ଜଣଙ୍କ ନାମରେ ଏକ ଲିଖିତ ଅଭିଯୋଗ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲେ। ପରେ ଜିଲ୍ଲାପାଳ ଏନେଇ ଏକ ତଦନ୍ତ ରିପୋର୍ଟ ଦେବାକୁ ସ୍ଥାନୀୟ ବେତନଟୀ ବିଡ଼ିଓଙ୍କୁ ଆଦେଶ ଦେଇଥିଲେ। ବିଡ଼ିଓଙ୍କ ରିପୋର୍ଟ ପାଇବାପରେ ଜିଲ୍ଲାପାଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ୪ଜଣଙ୍କୁ ପଦରୁ ନିଲମ୍ବନ ପାଇଁ ଆଦେଶ ଦେଇଛନ୍ତି ବୋଲି କହିଛନ୍ତି ବେତନଟୀ ବିଡ଼ିଓ ଗୋପୀନାଥ ଖାଖା।