ଭଣ୍ତାରିପୋଖରୀ: ଭଦ୍ରକଜିଲ୍ଲା ଭଣ୍ତାରିପୋଖରୀ ଥାନା ମଣିନାଥପୁର ମଶାଣିରୁ ପୁଣି ୪ ଶବ ଗାଏବ ହୋଇଛି। କିଛି ମାସର ବ୍ୟବଧାନ ପରେ ଏହି ଘଟଣା ଏବେ ଚର୍ଚ୍ଚାକୁ ଫେରିଥିବା ବେଳେ ପୁଲିସ କୌଣସି ସୁରାକ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଅନୁସାରେ, ଭଣ୍ତାରିପୋଖରୀ ଥାନା ବୈତରଣୀ ନଦୀକୂଳ ମଣିନାଥପୁର ମଶାଣିରୁ ୪ଟି ଶବ ଗାଏବ ହୋଇଥିବା ଆଜି ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଗତ କିଛି ମାସ ମଧ୍ୟରେ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା, ସତ୍ୟଭାମା ପରିଡ଼ା, ଶତ୍ରୁଘ୍ନ ଦାସ, ପ୍ରମିଳା ଦାସଙ୍କ ମୃତ୍ୟୁ ହୋଇଥିଲା।
ସେମାନଙ୍କର ଶବକୁ ପରିବାର ପକ୍ଷରୁ ମଣିନାଥପୁର ମଶାଣିରେ ପୋତି ସତ୍କାର କରାଯାଇଥିଲା। ସତ୍କାର କରାଯାଇଥିବା ସ୍ଥାନରେ ଗାତ ଖୋଳି ୪ଟି ଶବକୁ କେହି କାଢ଼ି ନେଇଥିବା ଆଜି ସକାଳେ ଗାଁ ଲୋକେ ଦେଖିଥିଲେ। ତେବେ ଶବ କିଏ କାଢ଼ିଲା ଓ କାହିଁକି କାଢ଼ିଲା, ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହାରୁ ଅଦ୍ୟାବଧି ଏହି ମଶାଣିରୁ ୧୫ରୁ ଊର୍ଦ୍ଧ୍ବ ଶବ ଗାଏବ ହେଲାଣି। ଶବ ଚୋରି ପଛରେ ଆନ୍ତର୍ଜାତିକ ରୢାକେଟ୍ର ହାତ ଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ପୁଲିସ ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଭେଦ କରିପାରିନାହିଁ।