ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଉ ୪ଟି ବସ୍ ସୁରତ ଛାଡ଼ିଲା

ସାମାଜିକ ଦୂରତ୍ବକୁ ଫୁ, ମହାରାଷ୍ଟ୍ର ସୀମାରେ ହଟହଟା

ବ୍ରହ୍ମପୁର: ଆଉ ଧୈର୍ଯ୍ୟ ନାହିଁ। ଲକ୍‌ଡାଉନ୍ ଅବଧି ସରିବା ଯାଏ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହନ୍ତି ସେମାନେ। ତେଣୁ ଗତକାଲି ଭଳି ଆଜି ରାତି ସାଢ଼େ ୧୦ଟା ବେଳେ ୧୫୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଉ ୪ ବସ୍‌ ସୁରତରୁ ଗଞ୍ଜାମ ଅଭିମୁଖେ ବାହାରିଛି। ସୁରତର ହରିନଗର ଅଞ୍ଚଳରୁ ୩ଟି ବସ ଛାଡ଼ିଥିବା ବେଳେ ଭେସ୍ତାନ ଅଞ୍ଚଳରୁ ଗୋଟିଏ ବସ୍‌ ଛାଡ଼ିଥିବା ଜଣାପଡ଼ିଛି। ପ୍ରତି ବସ୍‌ରେ ୩୬ଜଣ ଲେଖାଏଁ ଯାତ୍ରୀ ନେବାକୁ ସେଠା ପ୍ରଶାସନ ଅନୁମତି ପ୍ରଦାନ କରିଛି। ତେବେ ଏହାଠାରୁ କିଛି ଅଧିକ ଯାତ୍ରୀ ରହିଥିବା ଜଣାପଡ଼ିଛି। ଗଞ୍ଜାମର ଜଗନ୍ନାଥପ୍ରସାଦ ଅଭିମୁଖେ ୨ଟି, ଶେରଗଡ଼ ବ୍ଲକ୍‌ ତାକରଡ଼ା ଏବଂ ଭଞ୍ଜନଗର ଓଡ଼ଗାଁ ଅଭିମୁଖେ ଗୋଟିଏ ଲେଖାଏଁ ବସ ଛାଡ଼ିଥିବା ସୂଚନା ମିଳିଛି। ବସରେ ଆସୁଥିବା ଯାତ୍ରୀ କୋଭିଡ଼୍‌-୧୯ ନିୟମବାଳୀ ମାନିବା ବାଧ୍ୟତାମୂଳକ ରହିଛି। ସୁରତରୁ ଛାଡିଥିବା ୪ଟି ବସ୍‌ର ନମ୍ବର ହେଲା ୧୪ ଭି-୮୦୦୧, ଜିଜେ-୦୫-ଏଭି-୧୪୧୪, ଜିଜେ-୨୦-ଆର-୫୮୪୫ ଏବଂ ଜିଜେ ୧୩ ଜେଡ୍‌ ୦୩୦୩୦ ।

ଲକ୍‌ଡାଉନ୍‌ ଅବଧି ସରିବା ପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଥିଲେ। ଗୁଜାରାଟରେ ଥିବା ଓଡ଼ିଆ ଶ୍ରମିକଙ୍କୁ ଆଣିବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଆଲୋଚନା କରିଥିଲେ। ଟ୍ରେନ ନ ଚାଲିଲେ ବସ୍‌ରେ ଆଣିବା ଲାଗି ବ୍ୟବସ୍ଥା କରୁଥିବା କଥା କହିଥିଲେ। ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକଙ୍କୁ ଆଣିବା ଲାଗି ଏକ ଏସ୍‌ଓପି ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ ବି କରିଥିଲେ। ରାଜ୍ୟ ସରକାର ଏ ନେଇ ଚିନ୍ତା କରୁଥିବା ବେଳେ ଏବଂ ଏସ୍‌ଓପି ଚୂଡ଼ାନ୍ତ ହୋଇ ନଥିବା ବେଳେ ଦୁଇ ଦିନ ହେଲା ସୁରତରୁ ୮ଟି ବସ୍‌ରେ ପ୍ରାୟ ୪୦୦ ଶ୍ରମିକଙ୍କୁ ପଠାଇବାକୁ ସୁରତ ପ୍ରଶାସନ ଅନୁମତି କିଭଳି ଦେଲେ ସେ ନେଇ ପ୍ରଶ୍ନ ଉଠିଛି।
ବଡ଼ କଥା ହେଲା, ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରି ପ୍ରଥମ ଦିନ ଗୋଟିଏ ଗୋଟିଏ ବସ୍‌ରେ ୫୦ରୁ ଅଧିକ ଲେଖାଏଁ ଆସିଥିଲେ। ଏ ସଂକ୍ରାନ୍ତରେ ସୁରତ ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଳା ପ୍ରଶାସନକୁ ଇ-ମେଲ୍‌ ଯୋଗେ ଅବଗତ କରାଯାଇଥିଲା। ତେବେ ଲକ୍‌ଡାଉନ୍‌ ହଟି ନ ଥିବା ବେଳେ ସୁରତ ପ୍ରଶାସନ କେମିତି ଅନୁମତି ଦେଲେ ତା’କୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ବ ନିୟମାବଳୀର ଏଭଳି ଉଲ୍ଲଂଘନ ‌ଯୋଗୁଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନେଇଥିବା ସବୁ ପ‌ଦକ୍ଷେପ ‘ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା’ ଭଳି ହେବ ନାହିଁ ତ ବୋଲି ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁରତରୁ ୪ଟି ବସ୍‌ରେ ବାହାରିଥିବା ୨୨୮ଜଣ ଶ୍ରମିକ ଆଜି ସନ୍ଧ୍ୟ ସୁଦ୍ଧା ସେମାନେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଥିବା ଜଣାପଡ଼ିଛି। ଏହି ବସ୍‌ଗୁଡ଼ିକ ଏହି ଶ୍ରମିକମାନଙ୍କୁ ନେଇ ଛତିଶଗଡ଼ର ରାୟପୁର ଦେଇ କନ୍ଧମାଳ ଜିଲ୍ଲାର କଳିଙ୍ଗା ଦେଇ ଗଞ୍ଜାମର ଭଞ୍ଜନଗର ସୀମାରେ ପ୍ରବେଶ କରିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ସନ୍ଧ୍ୟା କିମ୍ବା ବିଳମ୍ବିତ ରାତି ସୁଦ୍ଧା ଏହି ଶ୍ରମିକମାନେ ଗଞ୍ଜାମରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଶ୍ରମିକମାନେ ଫେରିବା ବେଳେ ରାସ୍ତାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ମହାରାଷ୍ଟ୍ର ସୀମାରେ ଅକଥନୀୟ ହଟହଟାର ସମ୍ମୁଖୀନ ହେବା ସହ ରାସ୍ତାରେ ଖାଦ୍ୟ, ପାଣି ମଧ୍ୟ ପାଉ ନଥିବା ଅଭିଯୋଗ କରିଛନ୍ତି।

ପ୍ରତି ଶ୍ରମିକ ୩ ହଜାର ୫ଶହ ଟଙ୍କା ଲେଖାଏଁ ଚାନ୍ଦା କରି ସ୍ବଚ୍ଛଳ ବର୍ଗର ଶ୍ରମିକମାନେ ଏହି ବସ୍‌ରେ ଫେରୁଥିବା ବେଳେ ପାଖରେ ପଇସା ନଥିବା ଓ ଗରିବ ଶ୍ରେଣୀର ଶ୍ରମିକ ଭୋକ ଉପାସରେ ପଡ଼ି ରହିଛନ୍ତି। ପ୍ରତି ବସ୍‌ରେ ଜଣେ ଲେଖାଏଁ ଟିମ୍‌ ଲିଡର୍‌ ରହିଛନ୍ତି। ଅନୁମତିପତ୍ରରେ ଟିମ୍‌ ଲିଡର୍‌ଙ୍କ ଫୋନ ନମ୍ବର ମଧ୍ୟ ରହିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ସୁରତ ଫେରନ୍ତାଙ୍କୁ ଉପଯୁକ୍ତ ସ୍କ୍ରିନିଂ କରି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ସମସ୍ତଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରେ ରଖାଯିବା ଲାଗି ସବୁ ପ୍ରକାର ଆୟୋଜନ ହୋଇଛି।

ସମ୍ବନ୍ଧିତ ଖବର