ପୁଲିସ-ନକ୍ସଲ ମୁହାଁମୁହିଁ: ୪ ନକ୍ସଲ ମୃତ

ମାଲକାନଗିରି : ମାଲକାନଗିରି ସମେତ ଆଖପାଖ ଅଞ୍ଚଳରେ ଗତ ଚାରି ଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହାରି ମଧ୍ୟରେ ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି, ସିଆରପିଏଫ, କୋବ୍ରା ଯବାନ ସୁକମା ଜିଲ୍ଲାର ଜଗରଗୁଣ୍ଡା ଥାନା ଅନ୍ତର୍ଗତ ପୁଲାମଫାର ନିକଟସ୍ଥ ଜଙ୍ଗଲରେ କମ୍ବିଂ ଅପରେସନରେ ବାହାରିଥିଲେ। ଆଜି ସକାଳ ପ୍ରାୟ ସାଢେ ୯ଟା ସମୟରେ ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଯାଇଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଏଥିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିବା କୁହାଯାଇଛି। ଏହା ପରେ ଜଙ୍ଗଲକୁ ଅଧିକ ସଂଖ୍ୟକ ଯବାନ ମାନଙ୍କୁ ପଠାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ତେବେ ବହୁ କ୍ୟାଡର ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ବହୁ ନକ୍ସଲ ଆହତ ମଧ୍ୟ ହୋଇଥିବା ପୁଲିସ ଅନୁମାନ କରୁଛି। ବହୁ ଦେଶୀ ବନ୍ଧୁକ ସହ ବିସ୍ଫୋରକ, ପ୍ରଚାର ପାଇଁ ରଖାଯାଇଥିବା ପୋଷ୍ଟର, ବ୍ୟାନର, ଔଷଧ ଇତ୍ୟାଦି ଜବତ କରାଯାଇଥିବା କୁହାଯାଇଛି। ସୁକମା ଏସପି ସଲଭ ସିହ୍ନାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ନକ୍ସଲ ଏବଂ ପୁଲିସ ମଧ୍ୟରେ ରହି ରହି ଗୁଳି ଚଳାଯାଉଛି। ତେଣୁ ଯବାନ ମାନେ ଜଙ୍ଗଲରୁ ପଦାକୁ ବାହାରିନାହାନ୍ତି। ଯବାନ ଆସିବା ପରେ ସଠିକ୍ ଖବର ଜଣାପଡିବ।

ସମ୍ବନ୍ଧିତ ଖବର