ମାଲକାନଗିରି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟାର୍ଗେଟ ସମୟ ଯେତିକି ପାଖେଇ ଆସୁଛି ନକ୍ସଲ ମଧ୍ୟ ସେହି ତୁଳନାରେ ସଂଗଠନ ଛାଡି ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ସମେତ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
ଏସପି ଵାଇ ଅକ୍ଷୟ କୁମାରଙ୍କ ସମ୍ମୁଖରେ ଲକ୍ଷମ କାରାମ ଏବଂ ତାଙ୍କ ପତ୍ନୀ ମାଡୋ ଓରଫ ଜରିନା, ସୁଖରାମ ଏବଂ ବୁଦ୍ଧୁରାମ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଲକ୍ଷମ କରାମ ମୁଣ୍ଡରେ ୮ ଲକ୍ଷ, ପତ୍ନୀ ଜରିନାଙ୍କ ମୁଣ୍ଡରେ ୫ ଲକ୍ଷ, ସୁଖରାମଙ୍କ ମୁଣ୍ଡରେ ୮ ଲକ୍ଷ ଏବଂ ବୁଦ୍ଧୁରାମଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ସଂଗଠନରେ ରହିବା ସମସ୍ୟା ଦେଖାଦେଇଥିବାରୁ ସଂଗଠନ ଛାଡି ଜଙ୍ଗଲ ରାସ୍ତାରେ ଦୌଡ଼ି ଦୌଡ଼ି ମାଓ ଦମ୍ପତି ପୁଲିସ ନିକଟରେ ପହଞ୍ଚି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଦିଅନ୍ତୁ ବୋଲି ଗୁହାରି କରିଥିଲେ। ସଂଗଠନରେ ସେମାନଙ୍କୁ ଜୀବନରେ ମାରିଦେବେ ବୋଲି ପୁଲିସ ନିକଟରେ ସବୁ ବଖାଣିଥିଲେ। ସେହିପରି ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ସୁଖରାମ ମାଓ ସଂଗଠନରେ ଡାକ୍ତର ଭାବେ କାମ କରୁଥିଲା। ଜଙ୍ଗଲରେ ବୁଲି ବୁଲି ଆହତ ଓ ରୋଗାଗ୍ରସ୍ତ ନକ୍ସଲଙ୍କୁ ସୁଖରାମ ଚିକିତ୍ସା କରୁଥିଲା।
ତେବେ ସଂଗଠନରେ ପ୍ରତିଦିନ କିଛି ନା କିଛି ଘଟୁଥିବାରୁ ତୁରନ୍ତ ସଂଗଠନ ଛାଡିବା ପାଇଁ ସେ ଚିନ୍ତା କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ବହୁ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି। ଏମାନଙ୍କୁ ପୁଲିସ ତରଫରୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ଏମାନେ ପୁଲିସ ନିକଟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିଥିବା ପୁଲିସ କହିଛି।
Malkangiri | Naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/20/four-naxals-including-notorious-maoist-couple-surrender-22-lakh-rupees-on-their-heads-2025-08-20-21-21-08.jpg)