ଭୁବନେଶ୍ବର : ରାଜ୍ୟରେ ପୁଣି ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ୩ଜଣ ଭଦ୍ରକ ଜିଲ୍ଲାର ରହିଥିବା ବେଳେ ଜଣେ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି। ଭଦ୍ରକର ଏହି ୩ ଆକ୍ରାନ୍ତ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୬୪ ନଂ ଆକ୍ରାନ୍ତଙ୍କ ସହ କୋଲକାତାରୁ ଫେରିଥିଲେ। ଏହାସହ ଯାଜପୁର ଆକ୍ରାନ୍ତ ମଧ୍ୟ କୋଲକାତାରୁ ଫେରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଭଦ୍ରକ ଜିଲ୍ଲାର ଚିହ୍ନଟ ହୋଇଥିବା ୩ଜଣଙ୍କ ବୟସ ୪୦, ୫୫ ଓ ୩୫ବର୍ଷ ରହିଛି। ୮୦ତମ ସଂକ୍ରମିତ ବାସୁଦେବପୁର ଲୁଙ୍ଗା ଅଞ୍ଚଳର ହୋଇଥିବା ବେଳେ ଗତମାସ‌ରେ କୋଲକାତାର ନୂତନ ବଜାରରୁ ଅନ୍ୟ ଯାତ୍ରୀଙ୍କ ସହ ମିଶି ଓଡ଼ିଶା ଫେରିଥିଲେ। କୌଣସି ଲକ୍ଷଣ ନ ଥିବା ସତ୍ତ୍ବେ ରାଜ୍ୟ ବାହାରୁ ଫେରିଥିବା କାରଣରୁ ନମୁନା ସଂଗ୍ରହ ହୋଇଥିଲା। ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ୮୧ତମ ସଂକ୍ରମିତ ମଧ୍ୟ କୋଲକାତାରୁ ଫେରିବା ସହିତ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

୮୨ତମ ସଂକ୍ରମିତ ବାସୁଦେବପୁର ବାନ୍ଧସାହିର କୋଲକାତାରୁ ଫେରିଥିଲେ। ଗତକାଲି କରୋନା ପଜିଟିଭ୍ ଚିହ୍ନଟ ପ‌ରେ ତାଙ୍କୁ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ସେହିପରି ଯାଜପୁର ଜିଲ୍ଲାର ୩୮ବର୍ଷର ଏହି ଯୁବକ ଜଣକ କିଛିଦିନ ପୂର୍ବରୁ କୋଲକାତାରୁ ଫେରିଥିଲେ। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଛୁଇଁଛି।

ତେବେ ଗତକାଲି ମଧ୍ୟରାତ୍ର ସୁଦ୍ଧା ରାଜ୍ୟରେ ୧୩ହଜାର ୭୭୫ଟି କୋଭିଡ ନମୁନା ପରୀକ୍ଷା କରାଯାଇଛି। ଗତକାଲି ସର୍ବାଧିକ ୨୦୨୭ଟି ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଥିବା ବେଳେ କରୋନା ସନ୍ଦିଗ୍ଧରେ ୧୪୫ ଜଣ ହସ୍ପିଟାଲ ଆଇସୋଲେସନ୍‌ରେ ର‌ହିଥିବା ସୂଚନା ମିଳିଛି।