କଟକ : ପୁରୀ ଜିଲ୍ଲାର କଣାସ, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି, ବୀରମିତ୍ରପୁର ଓ କଳାହାଣ୍ଡି ଜିଲ୍ଲାର ଥୁଆମୂଳ-ରାମପୁର ଠାରେ ନୂଆ ସିଭିଲ ଜଜ୍ (ଜୁନିୟର ଡିଭିଜନ) ତଥା ଜେଏମ୍‌ଏଫସି ଅଦାଲତକୁ ଉଦ୍‌ଘାଟନ କରିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର।

Advertisment

ଉଦ୍‌ଘାଟନ ଅବସରରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ଜନସାଧାରଣଙ୍କ ଦ୍ବାରା ପ୍ରତିଷ୍ଠିତ ଅନୁଷ୍ଠାନ ହେଉଛି ଅଦାଲତ ଏବଂ ଏହା ସେମାନଙ୍କ ଆବଶ୍ୟକତା ପୂରଣ କରିବା କଥା। ଯେକୌଣସି ଅସୁବିଧା ଥିଲେ ମଧ୍ୟ ବାର୍ ସଦସ୍ୟ କୋର୍ଟ କାର୍ଯ୍ୟ ସଂପାଦନ କରିବା କ୍ଷେତ୍ରରେ କେବେ କୁଣ୍ଠା ପ୍ରକାଶ କରିବା ଅନୁଚିତ। ଅଦାଲତରୁ ନ୍ୟାୟ ପାଇଁ ଅପେକ୍ଷା ରଖୁଥିବା ବିଚାରାଧୀନ ବନ୍ଦୀ ଓ ସାଧାରଣ ମହକିଲଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ପାଇଁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି। ବାର୍ ଗୁଡିକୁ ଏୟାର କଣ୍ଡିସନର ସମେତ ସମସ୍ତ ପ୍ରକାର ଭିତ୍ତିଭୂମି ସମର୍ଥନ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ବିଚାରପତି ଏହି ଅବସରରେ କହିଥିଲେ।

ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ ବିଶ୍ବଜିତ ମହାନ୍ତି କହିଥିଲେ, ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ତ୍ବରିତ୍‌ ନ୍ୟାୟ ପ୍ରଦାନ ପାଇଁ ନୂଆ ଅଦାଲତ ପ୍ରତିଷ୍ଠା କରାଯାଉଛି। ଜଷ୍ଟିସ କେ.ଆର.ମହାପାତ୍ର ବାର୍ ବେଞ୍ଚ୍‌ ମଧ୍ୟରେ ସମନ୍ବୟ ଓ ସହଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ। ଜଣେ ବିଚାରପତିଙ୍କ ଦ୍ବାରା ଗୁଣାତ୍ମକ ରାୟ ବାର୍‌ର ସହଯୋଗ ଉପରେ ନିର୍ଭର କରେ ବୋଲି ସେ କହିଥିଲେ। ଉପାନ୍ତ ଅଞ୍ଚଳର ବାସିନ୍ଦା ନୂଆ କୋର୍ଟ ପ୍ରତିଷ୍ଠା ଦ୍ବାରା ଲାଭବାନ ହୋଇପାରିବେ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ ବି.ପି.ରାଉତରାୟ ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ହାଇକୋର୍ଟର ଅନ୍ୟ ବିଚାରପତିଙ୍କ ସହିତ ନୂଆ ଅଦାଲତ ଖୋଲିଥିବା ତିନି ଜିଲ୍ଲାର ଜିଲ୍ଲା ଜଜ୍, ବାର୍ ଆସୋସିଏସନ୍ କର୍ମକର୍ତ୍ତା, ଜିଲ୍ଲାପାଳ ଓ ଏସ୍‌ପି ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏହିସବୁ ଅଦାଲତକୁ ମିଶାଇ ଚଳିତବର୍ଷ ରାଜ୍ୟରେ ମୋଟ ୧୦ଟି ନୂଆ ଅଦାଲତ ଖୋଲିଛି।