କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି: ଚମ୍ପୁଆ, ଆନନ୍ଦପୁର, ଛତ୍ରପୁର ଓ ଗୁଣୁପୁରରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉନ୍ନତ ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ମଂଜୁରୀ ଦେଇଛି। କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ଓଡ଼ିଶାର ତିନିଟି ଜିଲ୍ଲାରେ ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ। ଏହି ବିଦ୍ୟାଳୟଗୁଡ଼ିକ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଓ ଆନନ୍ଦପୁର, ଗଂଜାମ ଜିଲ୍ଲାର ଛତ୍ରପୁର ଏବଂ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଠାରେ ଖୋଲିବ ବୋଲି ଜଣାପଡ଼ିଛି।

ସୂତ୍ର ଅନୁସାରେ ନୂତନ ଭାବରେ ପ୍ରତିଷ୍ଠା ହେବାକୁ ଥିବା ୫୦ଟି ବିଦ୍ୟାଳୟର ଉନ୍ନତ ମାନର ଶିକ୍ଷା ଯୋଗାଇ ଦିଆଯିବ। ବିଦ୍ୟାଳୟଗୁଡ଼ିକ ସଂପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହେଲେ ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା ଶିକ୍ଷା ମିଳିପାରିବ।

କ୍ୟାବିନେଟ ମଂଜୁରୀ ପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଏବଂ ରେଳବାଇର କର୍ମଚାରୀ ବସବାସ କରୁଥିବା ଅଂଚଳରେ ଏହି ନୂତନ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ କ୍ଷେତ୍ରରେ ଦେଶ ବିଭିନ୍ନ ଅଂଚଳରେ ୧୨,୦୦୦ରୁ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳିତ ହେଉଛି।

ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ ଓଡ଼ିଶା ବ୍ୟତୀତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆସାମ, ରାଜସ୍ଥାନ, ହରିଆଣା, ହିମାଚଳ ପ୍ରଦେଶ, କେରଳ, ଜମ୍ମୁ କଶ୍ମୀର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଅରୁଣାଚଳ ପ୍ରଦେଶରେ ପ୍ରତିଷ୍ଠା ହେବ।

ସମ୍ବନ୍ଧିତ ଖବର