ରାଉରକେଲା : ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ଷ୍ଟୁଡେଣ୍ଟ ଇସ୍ଲାମିକ୍ ମୁଭ୍ମେଣ୍ଟ ଅଫ୍ ଇଣ୍ଡିଆ (ସିମି)ର ୪ ଜଣ କୁଖ୍ୟାତ ଆତଙ୍କବାଦୀ ଏବଂ ଜଣେ ମହିଳାଙ୍କୁ ୨୦୧୬ ଫେବ୍ରୁଆରି ୧୬ ତାରିଖରେ ରାଉରକେଲା ନାଲାରୋଡ କ୍ୟୁରେସି ମହଲାରୁ ଗିରଫ କରାଯିବା କେବଳ ଇସ୍ପାତ ସହର ନୁହେଁ, ସାରା ରାଜ୍ୟରେ ହଲଚଲ ସୃଷ୍ଟି କରିଥିଲା। ଗରଫ ହୋଇଥିବା ସିମି ଆତଙ୍କବାଦୀମାନେ ଥିଲେ ଶେଖ ମେହବୁମ୍ ଓରଫ ଗୁଡୁ (୨୭), ଅମଜାଦ୍ଖାନ୍ ଓରଫ ଦାଉଦ୍ (୨୭), ଜାକିର ହୁସେନ ଓରଫ ସାଦିକ୍ (୩୨), ମହମ୍ମଦ ସାଲେଖ ସରଫ ସଲୁ (୩୨) ଏବଂ ମେହମବୁବ୍ର ମା' ନଜ୍ମା ବିବି। ତେବେ ୨୦୧୮ ମସିହା ଅକ୍ଟୋବର ୩୧ ତାରିଖରେ ଭୋପାଳ ସେଣ୍ଟ୍ରାଲ ଜେଲରୁ ପାଚେରି ଡେଇଁ ଖସି ପଳାଉଥିବାବେଳେ ମଧ୍ୟପ୍ରଦେଶ ପୁଲିସ ସେମାନଙ୍କୁ ଏନ୍କାଉଣ୍ଟର କରିଥିଲା। ମେହବୁବ୍ର ମା' ନଜ୍ମା ବିବି ରାଉରକେଲା ଜେଲରେ ରହିବା ପରେ ଗତ ୨୦୧୮ରେ ଖଲାସ ହୋଇଥିଲେ।
/sambad/media/post_attachments/wp-content/uploads/2020/10/rourkela-ss-300x193.jpg)
ବହୁ ଅପରାଧ ଘଟଣାରେ ସମ୍ପୃକ୍ତ ଏହି ୪ କୁଖ୍ୟାତ ଆତଙ୍କବାଦୀ ୨୦୧୩ରେ ମଧ୍ୟପ୍ରଦେଶର ଖଣ୍ଡୱା ଜେଲରୁ ଫେରାର ହେବା ପରେ ପ୍ରାୟ ୩ ମାସ ଧରି ରାଉରକେଲା କ୍ୟୁରେସି ମହଲାର ଏକ ଭଡାଘର ନେଇ ରହି ଆସୁଥିଲେ। ଗୁଇନ୍ଦା ସୂଚନା ଆଧାରରେ ତତ୍କାଳୀନ ଓଡ଼ିଶା ପୁଲିସ ମହାନିର୍ଦେଶକ କେ.ବି. ସିଂହଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଫେବ୍ରୁଆରି ୧୬ ତାରିଖ ରାତି ପ୍ରାୟ ୨ଟାରେ ଏମାନଙ୍କୁ ଧରିବାକୁ ଆରମ୍ଭ ହୋଇଥିଲା ଅପରେସନ୍ 'ଫୈଜଲ ଗ୍ୟାଙ୍ଗ୍'। ଟିମ୍ରେ ସାମିଲ ହୋଇଥିଲେ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ (ଏସ୍ଟିୟୁ), ଏସ୍ଓଜି, ଡିଭିଏଫ୍, କେନ୍ଦ୍ର ଗୁଇନ୍ଦା ସଂସ୍ଥା, ରାଉରକେଲା ଓ ତେଲେଙ୍ଗାନା ପୁଲିସ। ଏହାର ନେତୃତ୍ବ ନେଇଥିଲେ ସୁନ୍ଦରଗଡର ତତ୍କାଳୀନ ଏସ୍ପି ଆର୍. ପ୍ରକାଶ ଓ ଏସ୍ଓଜି କମାଣ୍ଡାଣ୍ଟ ଅନୁପ କ୍ରିଷ୍ଣା। ଡଗ୍ ସ୍କ୍ବାର୍ଡ, ବୋମା ନିଷ୍କ୍ରିୟ ଟିମ୍ ସହ ଶତାଧିକ ସଶସ୍ତ୍ର ପୁଲିସ କ୍ୟୁରେସି ମହାଲାକୁ ଘେରି ଯାଇଥିଲେ। ପ୍ରଥମେ ମହଲାର ଦୁଇ ପାର୍ଶ୍ବରେ ଥିବା ଘରଗୁଡ଼ିକୁ ବାହାରପଟୁ ବନ୍ଦ କରି ଦିଆଯାଇଥିଲା। ଯବାନମାନେ ଆତଙ୍କବାଦୀ ରହୁଥିବା ମହମ୍ମଦ ଓସ୍ମାନଙ୍କ ଘରର କବାଟ ବାଡ଼େଇଥିଲେ। ଏତେ ବିଳମ୍ବିତ ରାତିରେ କବାଟ ପିଟା ଶୁଣି ଆତଙ୍କବାଦୀମାନଙ୍କର ନିଦ ଭାଙ୍ଗି ଯାଇଥିଲା। ଏହା ଏକ ସ୍ପେଶାଲ ଅପରେସନ୍ ବୋଲି ସେମାନେ ବୁଝି ଯାଇଥିଲେ। କିଛି ଉପାୟ ନ ପାଇ ସେମାନେ ହାତ ଟେକି ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ।
ପୁଲିସ ସେମାନଙ୍କୁ ଗିରଫ କରି ସୁରକ୍ଷା ଦୃଷ୍ଟିରୁ ରାଉରକେଲା ରିଜର୍ଭ ପୁଲିସ ବାରାକ୍ରେ ରଖିଥିଲା। ତେଲେଙ୍ଗାନା ଜେଲରୁ ଫେରାର ହେବା ପରେ ଆତଙ୍କବାଦୀମାନେ ମୁସ୍ଲିମ୍ ବହୁଳ ନାଲାରୋଡ କ୍ୟୁରେସି ମହଲାକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଥିଲେ। ରାଉରକେଲା କ୍ୟୁରେସି ମହଲାରେ ରହିବା ପରେ ଉତ୍ତରପ୍ରଦେଶର ମୌରଦାବାଦରୁ କିଣିଥିବା ଇଣ୍ଡିଗୋ କାର୍କୁ ରାଉକେଲା ଷ୍ଟେସନ ଅମରଭବନ ସମ୍ମୁଖ ପାର୍କିଂରେ ରଖୁଥିଲେ। ସେହି କାର୍କୁ ନେଇ କେତେବେଳେ ରାଞ୍ଚି ତ ପୁଣି କେତେବେଳେ ଛତିଶଗଡ଼ ଯାଉଥିଲେ। ଛତିଶଗଡ଼ରେ ବଡ଼ଧରଣର ଡକାୟତି ଯୋଜନା କରିବାକୁ ରାଉରକେଲାରୁ ମୋଟରବାଇକ୍ ଚୋରି କରିଥିଲେ। ସେହି ମୋଟର ବାଇକ୍ ନେଇ ଛତିଶଗଡ଼ ଚମ୍ପା ନାମକ ସ୍ଥାନରେ ରଖିଥିଲେ। ରାଉରକେଲା ପୁଲିସ ସୂଚନା ଆଧାରରେ ଛତିଶଗଡ ପୁଲିସ ସେହି ମୋଟରବାଇକ୍ଟିକୁ ଜବତ କରିଥିଲା। ସେମାନେ କ୍ୟୁ୍ରେସି ମହଲାର ଲୋକଙ୍କ ସହ ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ କଥା ହେଉଥିଲେ। ସକାଳୁ ଘରୁ ବାହାରି ଯାଇ ବିଳମ୍ବିତ ରାତିରେ ଫେରୁଥିଲେ। ନଜ୍ମା ବିବି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃ୍କ୍ତ ନଥିଲେ, କିନ୍ତୁ ସଙ୍ଗଠନର ନେତୃତ୍ବ ନେଉଥିବା ତାଙ୍କ ପୁଅ ଶେଖ୍ ମେହବୁବ୍କୁ ସହଯୋଗ କରୁଥିଲେ। ପୁଅ ଯେଉଁଠିକୁ ଯାଉଥିଲା ମା' ନଜ୍ମା ପାଖରେ ରହି ରାନ୍ଧି ଖାଇବାକୁ ଦେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/simi.jpg)