ଭଲ ରୋଜଗାର ପାଇଁ ଯାଇଥିଲେ ମଧ୍ୟଆଫ୍ରିକା, ନିର୍ଯାତନା ପାଉଥିଲେ ବି ଫେରିପାରୁ ନାହାନ୍ତି ୪ ଓଡ଼ିଆ ଯୁବକ

ଭୁବନେଶ୍ବର: ମଧ୍ୟ ଆଫ୍ରିକାର ଗବୋନରେ ୪ ଜଣ ଓଡ଼ିଆ ଯୁବକ ଫସିରହିଛନ୍ତି। ଏମାନଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ  ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ଗ୍ରାମର ବିଜୟ ପ୍ରଧାନଙ୍କ ପୁଅ ବିଦ୍ୟାଧର ପ୍ରଧାନ, ସୁଦର୍ଶନ ପ୍ରଧାନଙ୍କ ପୁଅ ଶୁଭ୍ରକାନ୍ତ ପ୍ରଧାନ, ପରମେଶ୍ବର ରାଉତଙ୍କ ପୁଅ ପ୍ରଶାନ୍ତ କୁମାର ରାଉତ ଏବଂ ଭଗବାନ ମହାନ୍ତିଙ୍କ ପୁଅ ନିରଞ୍ଜନ ମହାନ୍ତି ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଚଳିତ ବର୍ଷ ଫେବ୍ରୁଆରି ୧୪ ତାରିଖରେ ଗବୋନ ଯାଇଥିଲେ। କମ୍ପାନି କର୍ତ୍ତୃପକ୍ଷ ମାସିକ ୨୫,୦୦୦ ଟଙ୍କା ବେତନ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପାରିଶ୍ରମିକ ନଦେଇ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ କାର୍ଯ୍ୟରେ ଲଗାଇଛନ୍ତି। ବହୁ ଅନୁରୋଧ ପରେ ମଧ୍ୟ ସେମାନେ ପାରିଶ୍ରମିକ ଦେଉନାହାଁନ୍ତି କିମ୍ବା ସ୍ବଦେଶ ଫେରିବାକୁ ଛାଡୁନାହାଁନ୍ତି।

ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର