ଆନ୍ଧ୍ରର ଚିଙ୍ଗୁଡ଼ି ଦାନା ଫ୍ୟାକ୍ଟ୍ରିରେ ବନ୍ଧକ ଥିଲେ ୪ ଓଡ଼ିଆ ଦାଦନ ଶ୍ରମିକ, ଫେରିିଲେ ଘରକୁ

ରାୟଗଡ଼ା: ଆନ୍ଧ୍ର ପ୍ରଦେଶର ମାଳତୀପାଟନମ୍-ପୋଲାତିତିଲ୍ ଅଞ୍ଚଳର ଏକ ଚିଙ୍ଗୁଡି ଦାନା ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ବନ୍ଧକ ଥିବା ୪ ଦାଦନ ଶ୍ରମିକ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ଜିଲ୍ଲା ପ୍ରଶାସନ-ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଶ୍ରମିକମାନେ ଗୁରୁବାର ବିଳମ୍ବିତ ରାତିରେ ଟ୍ରେନ୍ ଯୋଗେ ଆସି ରାୟଗଡ଼ାରେ ପହଞ୍ଚିଛନ୍ତି। ଆଜି ସକାଳୁ ସମସ୍ତ ଶ୍ରମିକ ପରିବାର ଲୋକଙ୍କ ସହ କାଶୀପୁର ବ୍ଲକର ମାଇକଞ୍ଚ କଲୋନିକୁ ଯାଇଥିବା ଜଣା ପଡିଛି।

ମୋଟା ଅଙ୍କର ମଜୁରି ଲୋଭରେ ଦଲାଲ୍ କଥାରେ ପଡ଼ି କାଶୀପୁର ମାଇକଞ୍ଚ କଲୋନିର ଖଗେଶ୍ବର ନାଇକ, କୃଷ୍ଣଚନ୍ଦ୍ର ନାଇକ, ନବୀନ ନାଇକ, ମହେନ୍ଦ୍ର ନାଇକ ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶ ଯାଇଥିଲେ। ଦଲାଲ୍ ଜିତୁ ଶ୍ରମିକଙ୍କୁ ଫ୍ୟାକ୍ଟ୍ରିରେ ପହଞ୍ଚାଇବା ପରେ ମାଲିକଠାରୁ ଶ୍ରମିକଙ୍କ ମଜୁରି ବାବଦକୁ ଅଗ୍ରୀମ ଟଙ୍କା ନେଇ ଫେରାର ହୋଇଯାଇଥିଲା। ପରେ ଫ୍ୟାକ୍ଟ୍ରି ସୁପରଭାଇଜର ଶ୍ରମିକଙ୍କ ଦିନ ରାତି ଖଟାଇବା ସହ ଭଲ ଭାବରେ ଖାଇବାକୁ ମଧ୍ୟ ଦେଉନଥିଲା। ଦିନରେ ଡଙ୍ଗା ସହ ରାତିରେ ମଲା ମାଛ ଥିବା କଠୋରିରେ ଶ୍ରମିକଙ୍କୁ ଶୋଇବାକୁ ବାଧ୍ୟ କରାଯାଉଥିଲା।

କାଶୀପୁରର ୪ ଶ୍ରମିକଙ୍କ ସହ ଅନ୍ୟ ରାଜ୍ୟର କିଛି ଶ୍ରମିକ ଫ୍ୟାକ୍ଟ୍ରିରେ ଫସି ରହିଥିବା ଜାଣିବା ପରେ ଶ୍ରମିକମାନେ ଫ୍ୟାକ୍ଟ୍ରି ଛାଡ଼ି ପଳାଇ ଆସିବାକୁ ବାହାରିଥିଲେ। କିନ୍ତୁ ଫ୍ୟାକ୍ଟ୍ରି ସୁପରଭାଇଜର୍ ଶ୍ରମିକଙ୍କୁ ମୋବାଇଲ୍ ଛଡ଼ାଇ ନେବା ସହ ବାହାରକୁ ନ ଛାଡ଼ି ନଜରବନ୍ଦୀ କରି ରଖିଥିଲା। ଶ୍ରମିକମାନେ ଅନ୍ୟ ଜଣେ ଶ୍ରମିକଙ୍କ ମୋବାଇଲରୁ ଫୋନ୍ କରି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଅବଗତ କରିବା ପରେ ନଭେମ୍ବର ୨୬ରେ ଶ୍ରମିକଙ୍କ ପରିବାର ଜିଲ୍ଲା ଶ୍ରମ ବିଭାଗର ଦ୍ବାରସ୍ତ ହୋଇଥିଲେ। କିନ୍ତୁ ଶ୍ରମ ବିଭାଗ ଚୁପ୍ ରହିବା ପରେ ୩୦ ତାରିଖରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ଶ୍ରମିକଙ୍କ ପରିବାର। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ତୁରନ୍ତ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମ ଅଧିକାରୀଙ୍କୁ ନିର୍ଦେଶ ଦେବା ପରେ ଆନ୍ଧ୍ର ପୁଲିସ୍ ଓ ପ୍ରଶାସନ ଯୋଗାଯୋଗ କରି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଫଶି ରହିଥିବା ଶ୍ରମିକମାନେ ଘରକୁ ଫେରିବା ପରେ ପରିବାର ଲୋକ ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର