୩ ଜଣଙ୍କୁ ଜାଳିଲା, ନିଜେ ଜଳିଗଲା

ପତ୍ନୀ, ଶାଶୂ, ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଲା ଜ୍ବାଇଁ, ଶ୍ବଶୁରଙ୍କ ପଞ୍ଝାରୁ ମୁକୁଳି ପାରିଲାନି

ଜଗତସିଂହପୁର/କୁଜଙ୍ଗ : ପତ୍ନୀ, ଶାଶୂ, ଶ୍ବଶୁରଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଜ୍ବାଇଁ। ସେ ୩ ଜଣ ତ ପ୍ରାଣ ହରାଇଲେ ନିଜେ ଜ୍ବାଇଁ ବି ବର୍ତ୍ତି ପାରିଲାନି। ଖସି ଯାଉଥିବାବେଳେ ଶ୍ବଶୁର ପଞ୍ଝାରେ ପଡ଼ିଯାଇ ସେ ବି ନିଅାଁରେ ଜଳିଗଲା। ପାରିବାରିକ କଳହର କରୁଣ ପରିଣତି କିଭଳି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବନାପାଟ ଗାଁରେ ଘଟିଥିବା ଏହି ହୃଦୟଥରା ଘଟଣାରୁ ତାହା ସାମ୍‌ନାକୁ ଆସିଛି।

ସୂଚନା ଅନୁଯାୟୀ, ବନାପାଟ ଗାଁର ନବଘନ ସାହୁ (୬୦) ଓ କମଳା (୫୦)ଙ୍କ ସାନ ଝିଅ ରୁବିନା(୨୨) ଗତ ଜୁଲାଇ ମାସରେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ହରେକୃଷ୍ଣ ମଲିକଙ୍କୁ ବିବାହ କରିଥିଲେ। ବାଙ୍ଗାଲୋରରେ ରହୁଥିବା ନବଘନଙ୍କ ଏକମାତ୍ର ପୁଅ ମୁନାଙ୍କ ସହ ହରେକୃଷ୍ଣ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ହରେକୃଷ୍ଣ ଜଣେ ଦଳିତ ଯୁବକ ହୋଇଥିଲେ ମଧ୍ୟ ଏକାଠି କାମ କରୁଥିବାରୁ ଓ ପରିଚୟ ଥିବାରୁ ମୁନା ନିଜ ଭଉଣୀଙ୍କ ବିବାହ ହରେକୃଷ୍ଣଙ୍କ ସହ କରାଇଥିଲେ। ବାହାଘରକୁ ନେଇ ସେତେବେଳେ ଗାଁରେ ପ୍ରବଳ ବିରୋଧ ହୋଇଥିଲା। ଦଳିତ ପରିବାରରେ ଝିଅକୁ ବିବାହ ଦେଉଥିବାରୁ ନବଘନଙ୍କୁ ଗ୍ରାମବାସୀ ସମାଲୋଚନା କରିଥିଲେ।

ଗାଁରେ ବିବାହ କରାଗଲେ ପ୍ରତିବାଦ ହେବାର ଆଶଙ୍କା ଥିବାରୁ ବାଙ୍ଗାଲୋରର ଜଗନ୍ନାଥ ମନ୍ଦିରରେ ସେମାନଙ୍କ ବିବାହ ହୋଇଥିଲା। ବିବାହ ପରେ ରୁବିନାଙ୍କୁ ସାଥୀରେ ଧରି ହରେକୃଷ୍ଣ ତିହିଡ଼ିସ୍ଥିତ ନିଜ ଘରକୁ ଯାଇଥିଲେ। କିଛି ଦିନ ପାଇଁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ମାତ୍ର ହଠାତ୍ ଦିନେ ରୁବିନା ଶାଶୂଘର ଛାଡ଼ି ବାପଘରକୁ ପଳାଇ ଆସିଥିଲେ। ବାପା ନବଘନ ଓ ମା’ କମଳା ଯେତେ ବୁଝାଶୁଝା କରିଥିଲେ ମଧ୍ୟ ସେ ହରେକୃଷ୍ଣଙ୍କ ଘରକୁ ଯିବାକୁ ଆଦୌ ରାଜି ହୋଇ ନଥିଲେ। ରୁବିନାଙ୍କୁ ନିଜ ଘରକୁ ଫେରାଇ ନେବା ପାଇଁ ହରେକୃଷ୍ଣ ବାରମ୍ବାର ବନାପାଟକୁ ଆସୁଥିଲେ। ହେଲେ . ରୁବିନା ତାଙ୍କ ସହ ଯିବା ପାଇଁ ଆଦୌ ରାଜି ହେଉ ନଥିଲେ। ବାରମ୍ବାର ପତ୍ନୀଙ୍କୁ ନେବାକୁ ଆସି ନିରାଶ ହେବା ପରେ ହରେକୃଷ୍ଣ ଏପରି ଜଘନ୍ୟ କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ ବୋଲି ଚର୍ଚା ହେଉଛି।

ମୃତ୍ୟୁକ‌ାଳୀନ ଜମାନବନ୍ଦୀରେ ପତ୍ନୀ ରୁବିନା ଏ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ତାଙ୍କ କହିବା ମୁତାବକ, ଗତକାଲି ରାତି ପ୍ରାୟ ୧୨ଟାରେ ହରେକୃଷ୍ଣ ନବଘନଙ୍କ ଘରେ ପହଞ୍ଚିଥିଲେ। ପୂର୍ବଥର ଭଳି ଏଥର ବି ସେ ତାଙ୍କୁ ସାଥୀରେ ନେବା ପାଇଁ ଜିଦ୍ ଧରିଥିଲେ। ସେ ରାଜି ନ ହେବାରୁ ଏହାକୁ ନେଇ ଘରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ଓ ହରେକୃଷ୍ଣ ଅତ୍ୟନ୍ତ ‌ରାଗି ଯାଇଥିଲେ। ସାଙ୍ଗରେ ଧରି ଆସିଥିବା ପେଟ୍ରୋଲକୁ ସେ ବାପା, ମା’ ଓ ତାଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ। ହୁତହୁତ୍ ହୋଇ ଜଳି ସମସ୍ତେ ଚିତ୍କାର କରୁଥିବା ବେଳେ ହରେକୃଷ୍ଣ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ବାପା ନବଘନ ତାଙ୍କୁ ମାଡ଼ି ବସିଥିଲେ। ହରେକୃଷ୍ଣ ଯେତେ ଛାଟିପିଟି ହୋଇଥିଲେ ବି ତାଙ୍କ ପଞ୍ଝାରୁ ମୁକୁଳି ପାରି ନଥିଲେ। ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା ବୋଲି ରୁବିନା କହିଛନ୍ତି।

ଅନ୍ୟପକ୍ଷରେ, ଚାରିଜଣଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପହଞ୍ଚିବା ବେଳକୁ ନବଘନ ଓ ହରେକୃଷ୍ଣ ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ କମଳା ଓ ରୁବିନା ବଞ୍ଚିଥିଲେ। ଏହାର କିଛି ସମୟ ଭିତରେ କମଳାଙ୍କର ମୃତ୍ୟୁ ଘଟିଥିଲା। ରୁବିନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ନିଆଯିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର