ଚାରି ଅଧ୍ୟାଦେଶ ଆଇନରେ ପରିଣତ ହେଲା

ଭୁବନେଶ୍ବର : ନିକଟ ଅତୀତରେ ଚାରିଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆସିଥିବା ଅଧ୍ୟାଦେଶ ବୁଧବାର ଦିନ ବିଧିବଦ୍ଧ ଭାବେ ବିଧେୟକ ଆକାରରେ ବିଧାନସଭାରେ ପାରିତ ହୋଇଛି। ସେଗୁଡ଼ିକ ହେଲା ଶ୍ରୀଜଗନ୍ନାଥ ମନ୍ଦିର(ସଂଶୋଧନ) ବିଲ୍‌- ୨୦୨୨, ଓଡ଼ିଶା ପୌର ବିଧି(ସଂଶୋଧନ) ବିଧେୟକ- ୨୦୨୨, ଓଡ଼ିଶା ପୌର ନିଗମ(ସଂଶୋଧନ) ବିଧେୟକ- ୨୦୨୨ ଏବଂ ଓଡ଼ିଶା ପଞ୍ଚାୟତ ଆଇନ(ସଂଶୋଧନ) ବିଧେୟକ-୨୦୨୨। ବୁଧବାର ଅପରାହ୍ନରେ ଚାରିଟି ଯାକ ବିଲ୍‌ ପାରିତ ହୋଇଛି।

ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଲ୍‌ଗୁଡ଼ିକୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର(ସଂଶୋଧନ) ବିଲ୍‌- ୨୦୨୨ରେ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଜମି ବିକ୍ରୟ କିମ୍ବା ଅନ୍ୟତ୍ର ହସ୍ତାନ୍ତରଣ ପାଇଁ ଅନୁମତି ପ୍ରଦାନ କରିବାକୁ କ୍ଷମତା ବିକେନ୍ଦ୍ରୀକରଣ କରିବାର ପ୍ରସ୍ତାବ ରହିଛି। ଏହି ବିକ୍ରୟ କିମ୍ବା ହସ୍ତାନ୍ତରଣ ପାଇଁ ସରକାରଙ୍କର ପୂର୍ବ ଅନୁମୋଦନର ଆବଶ୍ୟକତା ରହିବ ନାହିଁ। ଓଡ଼ିଶା ପୌର ବିଧି(ସଂଶୋଧନ) ବିଧେୟକ- ୨୦୨୨ରେ ସଂରକ୍ଷଣ ବ୍ୟବସ୍ଥା ୫୦% ଭିତରେ ସୀମିତ ରହିବାକୁ ପ୍ରସ୍ତାବ ଅଛି। ଓଡ଼ିଶା ପୌର ନିଗମ(ସଂଶୋଧନ) ବିଧେୟକ- ୨୦୨୨ରେ ବସ୍ତିବାସିନ୍ଦାଙ୍କୁ ସମ୍ପତ୍ତି ଅଧିକାର ସମ୍ପର୍କରେ ବ୍ୟବସ୍ଥା ରହିଛି। ଓଡ଼ିଶା ପଞ୍ଚାୟତ ଆଇନ(ସଂଶୋଧନ) ବିଧେୟକ-୨୦୨୨ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀଙ୍କ ଶପଥ ପାଠକୁ ଆଇନଗତ ବାଧ୍ୟତାମୂଳକ କରାଯାଇଛି। ଶପଥ ପାଠରେ ମିଥ୍ୟା ତଥ୍ୟ ଦେଲେ ପ୍ରାର୍ଥୀଙ୍କୁ ଆଇନ ପରିସରକୁ ଅଣାଯାଇପାରିବ। ପୂର୍ବରୁ ଅଧ୍ୟାଦେଶ ମାଧ୍ୟମରେ ଏସବୁ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଛି। ଆଜିର ବିଲ୍‌ ଆଲୋଚନାରେ ଅଶ୍ବିନୀ ପାତ୍ର, ଲତିକା ପ୍ରଧାନ, ମୁକେଶ ମହାଲିଙ୍ଗ, ନୃସିଂହ ସାହୁ, ଧ୍ରୁବ ଚରଣ ସାହୁ ଓ ପ୍ରମୋଦ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର