କଟକ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ (ଏସ୍ସିବି)ରେ ୪ ଅର୍ଥୋପେଡିକ୍ ପିଜି ସିଟ୍ ହ୍ରାସ ପାଇବ। ଏ ସମ୍ପର୍କରେ ଏନ୍ଏମ୍ସି ନିଷ୍ପତ୍ତି ନେଇଥିବାର ଜଣାପଡ଼ିଛି।
ଚଳିତ ବର୍ଷ ଏଯାଏ ଆରମ୍ଭ ହୋଇ ପାରିନି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପିଜି ନାମଲେଖା। ସୁପ୍ରିମ୍କୋର୍ଟରେ ଏ ସଂପର୍କରେ ଆର୍ଥିକ ସ୍ଥିତି ଦୁର୍ବଳ(ଇଡବ୍ଲୁଏସ୍) ଓ ଓବିସି ବର୍ଗଙ୍କୁ ସାମିଲ ଘଟଣାକୁ ନେଇ ଚାଲିଥିବା ମାମଲାରେ କୋର୍ଟଙ୍କ ସ୍ଥଗିତାଦେଶ ଯୋଗୁଁ ନାମଲେଖା ବନ୍ଦ ରହିଛି। ଏପଟେ କିନ୍ତୁ ଆସନ୍ତା ବର୍ଷ ପାଇଁ ମାର୍ଚ୍ଚ ୧୨ରେ ପିଜି ପ୍ରବେଶିକା ପରୀକ୍ଷା ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଆଜି ବିଜ୍ଞପ୍ତି ପ୍ରକାଶ କରିଛି। ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଏସ୍ସିବି ଅର୍ଥୋପେଡିକ୍ ବିଭାଗରେ ପିଜି ସିଟ୍ ହ୍ରାସ୍ ପାଇଁ ଏନ୍ଏମ୍ସି ପଦକ୍ଷେପ ନେଇଛି।। ଅର୍ଥାତ୍ ପୂର୍ବରୁ ୭ଟି ସିଟ୍ ରହିଥିବା ବେଳେ ରାଜ୍ୟ କୋଟା ୭କୁ ମିଶାଇ ମୋଟ ୧୪ଟି ସିଟ୍ ଥିଲା। କିନ୍ତୁ ଏହି ୭ଟି ସିଟ୍କୁ ଚଳିତବର୍ଷ ପ୍ରକାଶିତ ତାଲିକାରେ ୫ ବୋଲି ଦର୍ଶାଯାଇଛି। ଫଳରେ ନିୟମ ଅନୁଯାୟୀ ସମ ପରିମାଣର ରାଜ୍ୟ କୋଟାକୁ ମିଶାଇଲେ ମୋଟ ସିଟ୍ ସଂଖ୍ୟା ୧୦ ହେବ। କିନ୍ତୁ ସିଟ୍ ନକାଟିବା ପାଇଁ ଆବଶ୍ୟକ ପ୍ରଫେସର ତାଲିକା ଓ କ’ଣ କଣ ଭିତ୍ତିଭୂମିର ସୁଧାର ଅଣାଯାଇଛି ସେ ସଂପର୍କରେ ଏକ ରିପୋର୍ଟ ଏନ୍ଏମ୍ସିକୁ ପଠାଯାଇଛି। ଏହି ରିପୋର୍ଟ ପାଇବା ପରେ ହୁଏତ ସିଟ୍ ସଂଖ୍ୟା କଟି ନପାରେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପିଜି ନାମଲେଖା ପାଇଁ ଚାଲିଥିବା ମାମଲାର ଶୁଣାଣି ତାରିଖ ନଭେମ୍ବରରେ ଥିବାରୁ କୋର୍ଟଙ୍କ ରାୟ ଉପରେ ସବୁ କିଛି ନିର୍ଭର କରୁଥିବା କୁହାଯାଉଛି।
ଅର୍ଥୋପେଡିକ ବିଭାଗର ୪ଟି ସିଟ୍ କମିଯିବା ସୂଚନା ପରେ ଜଣେ ଅବସରପ୍ରାପ୍ତ ପ୍ରଫେସର, ବ୍ରହ୍ମପୁରରୁ ଡେପୁଟେସନ୍ରେ ଜଣେ ବିଶେଷଜ୍ଞଙ୍କୁ ଏସ୍ସିବିରେ ନିଯୁକ୍ତ କରାଯାଇଛି। ତା’ ସହିତ କ’ଣ କ’ଣ ଭିତ୍ତିଭୂମିର ବିକାଶ ହେବା କଥା ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇ ଏନ୍ଏମ୍ସିକୁ ଲିଖିତ ଭାବେ ସ୍ଥିତି ସଂପର୍କରେ ଅବଗତ କରାଯିବା ସହିତ ସିଟ୍ ହ୍ରାସ ନ କରିବା ପାଇଁ ଚିଠି ଲେଖାଯାଇଛି। କିନ୍ତୁ ଯେହେତୁ ଚଳିତବର୍ଷ ପିଜି ମେଡିକାଲ କାଉନସେଲିଙ୍ଗ କମିଟି ତାର କୋଟା ପ୍ରକାଶ କରି ସାରିଛି ତେଣୁ ଏସ୍ସିବି ଅର୍ଥୋପେଡିକ ପିଜି ସିଟ୍ ସଂଖ୍ୟା ୧୪ ରହିବାକୁ ନେଇ ଆଶଙ୍କା ଲାଗି ରହିଛି।