ହାଇକୋର୍ଟକୁ ପୁଣି ଆସିଲା ୯ ଜଣଙ୍କୁ ଫାଶୀ ଦଣ୍ତ ମାମଲା

କଟକ: ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ତ ସ˚ପର୍କିତ ମାମଲା ପୁଣି ହାଇକୋର୍ଟରେ ପହଞ୍ଚିଛି। ଗତ ଅକ୍ଟୋବର ୨୧ରେ ଏହି ମାମଲାର ପୁନର୍ବାର ଶୁଣାଣି କରି ରାୟଗଡ଼ା ଦୌରାଜଜ୍ ଅଦାଲତ ଡେଙ୍ଗୁନ ଶବର, ଦାଷୁନ୍ତ ଶବର, ଅଜନ୍ତା ଶବର, ପ୍ରଧାନ୍ତୁ ଶବର, ଦାଲସା ଶବର, ମାଲକୁ ଶବର, ବୁବୁନା ଶବର, ଲାକିୟା ଶବର, ଇରୁ ଶବରଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରିଥିଲେ। ନିମ୍ନ ଅଦାଲତଙ୍କ ଏହି ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା(ଡିଏସଆରଇଏଫ୍) ହାଇକୋର୍ଟରେ ଦାୟର ହୋଇଛି। ପୂର୍ବରୁ ମାମଲାରେ ଗୁଣପୁର ଅତିରିକ୍ତ ଦୌରାଜଜ୍ ୨୦୧୮, ଏପ୍ରିଲ ‌୨୩ରେ ଏହି ୯ଜଣଙ୍କୁ ଫାଶୀଦଣ୍ଡ ପ୍ରଦାନ କରିଥିବା ବେଳେ ହାଇକୋର୍ଟ ଏହି ରାୟକୁ ରଦ୍ଦ କରିଥିଲେ। ଏଥିସହିତ ମାମଲାର ସାନି ଶୁଣାଣି କରିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ୨୦୧୯, ନଭେମ୍ବର ୫ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାୟଗଡ଼ା ଜିଲ୍ଲା ଓ ଦୌରା  ଜଜ୍ ଅଦାଲତରେ ମାମଲାର ସାନି ଶୁଣାଣି ଆରମ୍ଭ ହୋଇଥିଲା। ୨୦୨୧, ଅକ୍ଟୋବର ୨୧ରେ ଦୌରା ଅଦାଲତ ରାୟ ପ୍ରକାଶ କରି ୯ ଜଣ ଅଭି‌ଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ସେପ୍ଟେମ୍ବର ୯ ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡ଼ି ସ˚ନ୍ଦେହରେ ପୁଟାସିଂ ଥାନା ଅନ୍ତର୍ଗତ କିତୁଂ ଗ୍ରାମର ଅସୀନ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଅସମଣି ଶବରଙ୍କୁ ପିଟି ପଟି କେତେକ ବ୍ୟକ୍ତି ଅଧମରା କରି ଦେଇଥିଲେ। ଝିଅ ପାଟିରେ କୀଟନାଶକ ଇଞ୍ଜେକସନ୍‌ ଭର୍ତ୍ତି କରି ମୃତ ପ୍ରାୟ କରି ଦେଇଥିଲେ। ଆସାମୀମାନେ ଜୀବନ ଥାଉ ଥାଉ ବାପା-ମା’ ଓ ଝିଅ ୩ଜଣଙ୍କୁ ଗାଁ ଶ୍ମଶାନରେ ଗାତ ଖୋଳି ମାଟି ତଳେ ପୋତି ଦେଇଥିଲେ। ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ଅନ୍ତର୍ଗତ କିତୁ˚ ଗ୍ରାମରେ ଏହି ଘଟଣା ଘଟିଥିଲା। ୨୦୧୬, ସେପ୍ଟେମ୍ବର ୧୬ରେ ପୁଲିସ ଏତଲା ରୁଜୁ କରିଥିଲା। ପର୍ଯ୍ୟାୟକ୍ରମେ ହତ୍ୟାକାଣ୍ତରେ ସ˚ପୃକ୍ତ ୧୦ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ମଧୢରୁ ଜଣେ ନାବାଳକ ଥିଲା। ୨୦୧୭, ଜାନୁଆରି ୧୨ରେ ଚାର୍ଜସିଟ ଦାଖଲ ପରେ ଏହି ହତ୍ୟାକାଣ୍ତ ମାମଲାର ଶୁଣାଣି ଗୁଣପୁର ଅତିରିକ୍ତ ଦୌରା ଜଜ୍‌ ଅଦାଲତରେ ଆରମ୍ଭ ହୋଇଥିଲା। ୨୦୧୮ରେ ପ୍ରକାଶିତ ରାୟରେ ଅଦାଲତ ୯ଜଣ ଅାସାମୀଙ୍କୁ ଆଇପିସିର ଦଫା ୩୦୨ ସହିତ ଅନ୍ୟ ଦଫା ଓ ଓଡ଼ିଶା ପ୍ରିଭେନସନ୍ ଅଫ୍ ୱିଚ୍ ହଣ୍ଟିଂ ଆଇନର ଧାରା ୪ରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ତ ପ୍ରଦାନ କରିଥିଲେ। ଏହି ରାୟକୁ ହାଇକୋର୍ଟ ରଦ୍ଦ କରି ସାନି ଶୁଣାଣି ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର