କେନ୍ଦୁଝର/ଯୋଡ଼ା/ରାଇସୁଆଁ : କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସାପ କାମୁଡ଼ାରେ ଦମ୍ପତିଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଟାଉନ ଥାନା ବଲାଣିପଶି ନିକଟସ୍ଥ ଘଉଳଧୁଆକଂସ ଗ୍ରାମରେ ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗ୍ରାମର ଶୁକଦେବ ଜୁଆଙ୍ଗ (୫୫) ଓ ପତ୍ନୀ ଟିକିଲି ଜୁଆଙ୍ଗ (୪୯)। ଉଭୟ ଗତକାଲି ରାତିରେ ଘରେ ଶୋଇଥିବାବେଳେ ଏକ ଚିତିସାପ ସେମାନଙ୍କୁ କାମୁଡ଼ି ଥିଲା। ସକାଳୁ ପରିବାର ଲୋକେ ଗୁଣିଆ ଡାକି ଝଡ଼ାପୁଙ୍କା କରିଥିଲେ। ଫଳରେ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଶେଷରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୂର୍ବାହ୍ଣ ୧୦ଟାବେଳେ ପ୍ରଥମେ ଟିକିଲିଙ୍କ ମୃତ୍ୟୁ ଘଟିଥିଲା। ପରେ ଦିନ ଗୋଟାଏ ବେଳେ ଶୁକଦେବ ଆଖିବୁଜି ଥିଲେ। ଖବର ପାଇ ଟାଉନ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଦୁଇଟି ଅପମୃତ୍ୟୁ ମାମଲା ରୁଜ ହୋଇଛି।
ସେହିପରି ତେଲକୋଇ ବ୍ଲକ୍ କାଳିଆହତା ଗ୍ରାମରେ ସାପ କାମୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦୁଃଖବନ୍ଧୁ ପାତ୍ରଙ୍କ ପୁଅ ପ୍ରଫୁଲ୍ଲ ପାତ୍ର (୫୨)। ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟରେ ପ୍ରଫୁଲ୍ଲଙ୍କ ଗୋଡ଼ରେ ଏକ ବିଷଧର ସାପ ଗୁଡ଼େଇ ହେବା ସହ ତାଙ୍କୁ କାମୁଡ଼ି ଦେଇଥିଲା। ସେ ଉଠିପଡ଼ି ଗୋଡ଼ ଛାଟି ଦେବାରୁ ଏକ ଚିତିସାପ ତଳେ ପଡ଼ିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ କାମାକ୍ଷାନଗର ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଫୁଲ୍ଲ ଜଣେ ଗରିବ ଦିନମଜୁରିଆ ଥିଲେ। ଘରେ ତାଙ୍କର ବିଧବା ପତ୍ନୀ ବାସନ୍ତୀ ଓ ୪ଟି ଛୁଆ ଅଛନ୍ତି। ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।
ବାମେବାରୀ ଥାନା ବଳଦା ଗ୍ରାମରେ ସର୍ପାଘାତରେ ଜଣେ ୧୨ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଅରୁଣ ଦେହୁରୀ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ଅରୁଣ ଘର ପାଖରେ ଖେଳୁଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଥିଲା। ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାମେବାରୀ ଥାନାରେ କେସ୍ ନମ୍ବର ୧୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଡାକ୍ତରଖାନା ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/snake.jpg)