କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କାଦେଲା ଟ୍ରାକ୍ଟର, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ୪ ଆହତ

ଆଶୁ ଆରୋଗ୍ୟ କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ବାଲେଶ୍ବର : ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡ଼ି ଆଜି ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ପୋଡ଼ାଶୂଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମନ୍ତ୍ରୀଙ୍କ ଇନୋଭା କାର୍‌କୁ ଏକ ଟ୍ରାକ୍ଟର ଧକ୍କା ଦେବାଫଳରେ ଶ୍ରୀ ଷଡ଼ଙ୍ଗୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଡ୍ରାଇଭର ରଜକ୍ ଖାନ୍, ସୁରକ୍ଷା ଅଧିକାରୀ ବିଜୟ ବାରିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନା ନେଇ ଚିକିତ୍ସା କରାଯାଇଥିଲା। ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ନାକ ଓ ଆଣ୍ଠୁରେ ଆଘାତ ଲାଗିଛି।

ସୂଚନା‌ଯୋଗ୍ୟ, ଦୁଇଦିନ ତଳେ ସ୍ଥାନୀୟ କେସିପୁର ବଢ଼େଇପଲା ଅଞ୍ଚଳର ଶୁକଦେବ ସିଂ ନାମକ ଜଣେ କିଡ୍‌ନି ରୋଗୀ ଚିକିତ୍ସା ସହାୟତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟକୁ ଆସିଥିଲେ। ତେବେ ମନ୍ତ୍ରୀ ତାଙ୍କର ଚିକିତ୍ସା ପାଇଁ ସରକାରୀ ସହାୟତା ବ୍ୟବସ୍ଥା କରୁଥିବା ବେଳେ ଗତକାଲି ରାତିରେ ଶୁକଦେବଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏ ବିଷୟରେ ଜାଣିବା ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ରବିବାର ଅପରାହ୍ନରେ କେସିପୁର ଯାଉଥିବାବେଳେ ପୋଡ଼ାଶୂଳ ନିକଟରେ ତାଙ୍କ କାର୍‌କୁ ଧକ୍କା ଦେଇଥିଲା ଟ୍ରାକ୍ଟର। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶ୍ରୀ ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର