ବାଇକ୍‌ ଚୋର ଗ୍ୟାଙ୍ଗର ୪ ଗିରଫ, ୯ ମୋଟରସାଇକଲ ଜବତ

ଖୋର୍ଦ୍ଧା: ଗତ ୨୩ ତାରିଖରେ ଖୋର୍ଦ୍ଧା ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଏକ ବାଇକ୍‌ ଚୋରି ହୋଇଥିଲା । ଏହି ମାମଲାର ଅନୁସନ୍ଧାନରେ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବିଭିନ୍ନ ସ୍ଥାନରେ ବାଇକ୍‌ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ସଦସ୍ୟ ଧରାପଡ଼ିବା ସହ ସେମାନଙ୍କ ନିକଟରୁ ଚୋରି ଯାଇଥିବା ୯ ମୋଟରସାଇକଲ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ମଇ ୨୩ ତାରିଖରେ ପୁରୁଣା ବସଷ୍ଟାଣ୍ଡ ନିକଟରୁ ସତ୍ୟବ୍ରତ ରଣସିଂହଙ୍କ ଏକ ମୋଟର ସାଇକଲ ଚୋରି ହୋଇଥିଲା । ଏନେଇ ସେ ଖୋର୍ଦ୍ଧା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୨୩୯/୨୦୨୨ରେ ଏକ ମାମଲା ରୁଜୁ କରିଥିଲା । ତେବେ ଅନୁସନ୍ଧାନରେ ଏହି ଚୋରିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ସୁଶୀଲ ମିଶ୍ର ଓ ଡେପୁଟି ଏସ୍ପି ତଥା ଟାଉନ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଟିମ୍‌ରେ ଏସ୍ଆଇ ସୁକାନ୍ତ ଦଳାଇ, ଏସ୍ଆଇ ପିଏଲ୍ ବେହେରା ଏଏସ୍ଆଇ ପିକେ ପ୍ରଦାନ, ଏଏସ୍ଆଇ ଅକ୍ଷୟ ସେଠୀଙ୍କୁ ନେଇ ଗଠିତ ଏହି ଟିମ୍ ବେଗୁନିଆ ନୂଆ ସାହିର ସର୍ବେଶ୍ୱର ବାରିକ(୨୩)ଙ୍କ ଘରେ ଚଢ଼ଉ କରିଥିଲେ । ସେଠାରୁ ଚୋରି ଯାଇଥିବା ଗୋଟିଏ ମୋଟର ସାଇକଲ (ଓଡି ୦୨ ଏଏନ୍ ୪୩୮୬) ସହିତ ଅନ୍ୟ ଦୁଇଟି ମୋଟର ସାଇକଲ ଜବତ କରାଯାଇଥିଲା । ଏହାପରେ ସେ ବଳକା ୬ଟି ମୋଟର ସାଇକଲ ବେଗୁନିଆର ବିଭିନ୍ନ ବ୍ୟକ୍ତିଙ୍କୁ ବିକ୍ରି କରିଥିବା କହିଥିଲା । ସୂଚନାନୁସାରେ ପୁଲିସ ବେଗୁନିଆ ବଡ଼ବେରଣାର ସୌଦାଗର ମହାରଣା ଓରଫ ଗଜେନ୍ଦ୍ର (୩୨), କଡ଼ବ ଗାଁର ସଂଜୟ ନାୟକ (୨୦), ହରିପ୍ରସାଦର ସନ୍ତୋଷ ମହାରଣା ଓରଫ ସନ୍ତୁ (୪୫)ଙ୍କ ଘରେ ଚଢ଼ଉ କରି ବଳକା ୬ଟି ମୋଟର ସାଇକଲ ଜବତ କରିଥିଲା ।

ଜବତ ହୋଇଥିବା ମୋଟରସାଇକଲ ଗୁଡ଼ିକ ମଧ୍ୟରୁ ୩ଟି ହିରୋହୋଣ୍ଡା ସ୍ପ୍ଲେଣ୍ଡର, ଗୋଟିଏ ସ୍ପେଲଣ୍ଡର, ଦୁଇଟି ହିରୋ ଗ୍ଲାମୋର, ଗୋଟିଏ ହିରୋ ପାସନ ପ୍ରୋ ଓ ଗୋଟିଏ ହିରୋ ଡିଲେକ୍ସ ଓ ଗୋଟିଏ ଆପାଚି ମୋଟର ସାଇକଲ ରହିଛି । ଆଜି ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର