ଅନୁଗୁଳ: ନାବାଳକ ସଞ୍ଜିତ ବିଶ୍ବାଳକୁ ନରବଳି ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କ ସମେତ ମୋଟ୍‌ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ପୁଲିସ ଟୁସର ଗାଁର ରୀତାଞ୍ଜଳି ବାଘ, ତାଙ୍କ ୩ ପୁଅ ସୌମ୍ୟ ରଞ୍ଜନ ବାଘ, ଦିବ୍ୟରଞ୍ଜନ ବାଘ ଓ ଜ୍ୟୋତିରଞ୍ଜନ ବାଘକୁ ଗିରଫ କରିଛି। ତେବେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ମିଳିବା ପରେ ଏହା ସ୍ପଷ୍ଟ ହେବ। ଏ ସବୁ ମିଳିବା ପରେ  ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିବ ବୋଲି ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା। ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜିତକୁ ତାଙ୍କ ମା’ ବାସନ୍ତୀ ବିଶ୍ବାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ। ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଛନ୍ତି। ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ସେ କହିଥିଲେ। ପରେ ମଙ୍ଗଳା କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ। ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ। ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ କୋଠିରେ ନ ଥିଲେ। ଏଥିନେଇ ରୀତାଞ୍ଜଳିଙ୍କୁ ଜଣାଇବା ପରେ ଗାଁ ଠାକୁର ପୁଅକୁ ଲୁଚାଇ ରଖିଥିବା ସେ କହିଥିଲେ। ତେଣୁ ଗାଁକୁ ଯାଇ ପୂଜା କରିବାକୁ ପରାମର୍ଶ ଦେଇଥିଲେ। ଏପଟେ ଗାଁରେ ପୂଜା କରିବା ସହ ବିଭିନ୍ନ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ। ଏହାସତ୍ତ୍ବେ ସଞ୍ଜିତ ନ ମିଳିବାରୁ ମା ବାସନ୍ତୀ କିଆକଟା ଥାନାରେ ପୁଅ ନିଖୋଜ ନେଇ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କୁ ଉଦ୍ଧାର କରିବା ନେଇ ବିଶେଷ ଆଗ୍ରହ ପ୍ରକାଶ କରି ନଥିଲା। ପରେ ଏଥିନେଇ ଅନୁଗୁଳ ଏସପିଙ୍କ ପାଖରେ ମଧ୍ୟ ଫେରାଦ୍ ହୋଇଥିଲେ।

ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୁଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ ଆଜି ଜଙ୍ଗଲରୁ ତାଙ୍କ ଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ତାଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି। ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ। ଏହି ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ସେମାନେ କହିଛନ୍ତି। ଏହାକୁ ନେଇ ଟୁସର, କିଆକଟା ଓ ବାସୁଦେବପୁର ପଞ୍ଚାୟତର ହଜାର ହଜାର ଲୋକ ଏକାଠି ହୋଇ ବାରେଣି ଛକରେ ରାସ୍ତା ଅବରୋଧ କରିଥିଲେ। ସେହିପରି ଏକ ପୁଲିସ ଭ୍ୟାନକୁ ଉତ୍ତ୍ୟକ୍ତ ଲୋକ ଜାଳି ଦେଇଥିଲେ।