ରାଉରକେଲା: ରାଉରକେଲାରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ଗଞ୍ଜେଇ ବୋଝେଇ କାର୍କୁ ବ୍ରାହ୍ମଣୀତରଙ୍ଗ ପୁଲିସ ଜବତ କରିଛି। ଗଞ୍ଜେଇ ବୋଝେଇ କାର୍ଟି ବେଦବ୍ୟାସ ଏକ ଘରୋଇ କାରଖାନା ନିକଟରୁ ପୁଲିସ ଧରିବାରେ ସଫଳ ହୋଇଥିଲା। ଘଟଣାସ୍ଥଳରୁ ପୁଲିସ କାର୍ ଡ୍ରାଇଭର ଓ ୩ ବେପାରୀକୁ ଗିରଫ କରିଛି। ଗିରଫମାନେ ହେଲେ କୁକୁଣ୍ଡବାହାଲ ସୁବ୍ରତ ଓରଫ ଇନ୍ଦ୍ରଜିତ ନନ୍ଦ (୨୮), ରାଉରକେଲା ଗୋପବନ୍ଧୁପାଲୀର ମୁକେଶ ଯାଦବ (୨୩), ସେକ୍ଟର-୩ର ବିଜୁ ନାୟକ (୨୬), ସେକ୍ଟର-୧୫ର ଅଜୟ ନାୟକ ଓରଫ ଗାନ୍ଧି (୩୨)।ଏମାନଙ୍କ ନିକଟରୁ ୬୨ କିଲୋ ୧୬୫ ଗ୍ରାମ୍ ଗଞ୍ଜେଇ, ହୋଣ୍ଡା କାର୍ (ଓଡି ୧୪ଭି-୮୪୦୮), ଦେଶୀ ବନ୍ଧୁକ, ଚାରିଟି ମୋବାଇଲ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ସକାଳ ପ୍ରାୟ ୬ଟାରେ ରାଉରକେଲାରୁ ବେଦବ୍ୟାସ ଦେଇ ଝାଡ଼ଖଣ୍ଡକୁ ଏକ କାର୍ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବ୍ରାହ୍ମଣୀତରଙ୍ଗ ପୁଲିସକୁ ସୂଚନା ମିଳିଥିଲା।
ସୂଚନା ଆଧାରରେ ପୁଲିସ ବେଦବ୍ୟାସ- କୁଆରମୁଣ୍ଡା ରାସ୍ତାର ଏକ ଘରୋଇ କାରଖାନା ନିକଟରେ ଗାଡି ଯାଞ୍ଚକୁ କଡାକଡି କରିଥିଲେ। ଗିରଫ ବେପାରୀମାନେ କାର୍ଟିକୁ ବେଦବ୍ୟାସ ଅତିକ୍ରମ କରି କୁଆରମୁଣ୍ଡା ରାସ୍ତାକୁ ପଶିବାମାତ୍ରେ ପୁଲିସ କାର୍ଟିକୁ କାବୁ କରି ଯାଞ୍ଚ ଆରମ୍ଭ କରିଥିଲେ। ଗିରଫ ବେପାରୀମାନଙ୍କୁ କାର୍ର ବୋଝେଇ ହୋଇଥିବା ଚୋରା ଗଞ୍ଜେଇର କାଗଜପତ୍ର ମାଗିଥିଲେ। ମାତ୍ର ବେପାରୀମାନେ କାଗଜପତ୍ର ନ ଦେଖାଇପାରିବାରୁ ପୁଲିସ କାର୍ ସହ ଗଞ୍ଜେଇକୁ ଜବତ କରିଥିଲା।