ପିଏଲଏଫଆଇ ସଦସ୍ୟ ପରିଚୟ ଦେଇ ଲାକ୍ଷାଧିକ ଟଙ୍କା ଦାବି, ସରପଞ୍ଚ ସମେତ ୪ ଗିରଫ

ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ

ଦେବଗଡ଼: ବାରକୋଟ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଜେଲ ମୁକୁଳାଇବା ପାଇଁ ପିଏଲଏଫଆଇ ସଦସ୍ୟ ପରିଚୟ ଦେଇ ପିସ୍ତଲ ଦେଖାଇ ଭୟଭୀତ କରିବା ସହିତ ଲାକ୍ଷାଧିକ ଟଙ୍କା ଦାବି କରୁଥିବା ଘଟଣାରେ ଆଜି ପୁଲିସ ସରପଞ୍ଚ ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୯ଟି ଏମଏମ ପିସ୍ତଲ, ୨ଟି ମ୍ୟାଗାଜିନ, ୯ଟି ୯ ଏମଏମ ଗୁଳି ଓ ମୋବାଇଲ ଫୋନ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସୁନ୍ଦରଗଡ ଜିଲ୍ଲାର ବଣେଇ ଥାନା ଅଞ୍ଚଳର ଶୁଣ୍ଡିକୁଣ୍ଡ ଗ୍ରାମର ରାକେଶ ସାହୁ(୨୫), ବାରକୋଟ ବ୍ଲକ ଅନ୍ତର୍ଗତ ଝରାକଣ୍ଡଳ ପଂଚାୟତର ନବନିର୍ବାଚିତ ସରପଞ୍ଚ ଲକ୍ଷ୍ମଣ ଚନ୍ଦ୍ର କିଷାନ(୫୦), ବାରକୋଟ ଥାନା ଅଞ୍ଚଳର ଖୁଲୁଣ୍ଡିପାଣି ଗ୍ରାମର ଲକ୍ଷ୍ମଣ ମହନ୍ତ(୨୨), ସୁନ୍ଦରଗଡ ଜିଲ୍ଲାର ବଣେଇଁ ଥାନାଞ୍ଚଳର ନୂଆବନ୍ଧ ଗ୍ରାମର ଅନିଲ ପାତ୍ର(୨୨)।

ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେବା ସହିତ ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଜେଲରୁ ମୁକୁଲେଇବା ପାଇଁ ବଣେଇ ଥାନାଞ୍ଚଳର ଶୁଣ୍ଡିକୁଣ୍ଡ ଗ୍ରାମରରାକେଶ ସାହୁ, ଅନିଲ ପାତ୍ର , ଝରାକଣ୍ଡଳ ପଂଚାୟତର ନବନିର୍ବାଚିତ ସରପଂଚ ଲକ୍ଷ୍ମଣ ଚନ୍ଦ୍ର କିଷାନ, ଲକ୍ଷ୍ମଣ ମହନ୍ତ ନିଜକୁ ପିଏଲଏଫଆଇ ସଦସ୍ୟ ପରିଚୟ ଦେଇ ଉକ୍ତ ବ୍ୟକ୍ତିଙ୍କ ତ୍ସୀକୁ ପିସ୍ତଲ ଦେଖାଇ ଧମକ ଦେବା ସହିତ ୧ଲକ୍ଷ ଟଙ୍କା ଦାବି କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ସେ ଭୟଭୀତ ହୋଇ ୧୦ହଜାର ଟଙ୍କା ଦେଇଥିଲେ । ଏନେଇ ସଂପୃକ୍ତ ମହିଳା ବାରକୋଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହାସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ପିସ୍ତଲ, ମ୍ୟାଗାଜିନ, ଗୁଳି ଓ ମୋବାଇଲ ଫୋନ ଜବତ କରିବା ସହ ସମସ୍ତଙ୍କୁ ଗିରଫ କରିଛି । ତେବେ ପୁଲିସର ତଦନ୍ତ ସମୟରୁ ଜଣାପଡିଛି ଯେ, ରାକେଶ ସାହୁ ଉକ୍ତ ପିସ୍ତଲଟିକୁ ଝରାକଣ୍ଡଳ ପଂଚାୟତର ନବନିର୍ବାଚିତ ସରପଂଚ ଲକ୍ଷ୍ମଣ ଚନ୍ଦ୍ର କିଷାନଙ୍କ ଜରିଆରେ ନେଇଥିଲା । ପୁଲିସ ଲକ୍ଷ୍ମଣଙ୍କଘର ତଲାସି କରିବା ସମୟରେ ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ କରିଥିଲା । ଅନ୍ୟମା‌ନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟା ଓ ବାରକୋଟ ଥାନାଧିକାରୀ କନକ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର