ବାରିପଦା: ବାରିପଦା ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଛିନ୍ତାଇ ଘଟଣାକୁ ନେଇ ଆକ୍ସନ ମୋଡ୍କୁ ଆସିଯାଇଛି ବାରିପଦା ଟାଉନ୍ ଥାନା ପୁଲିସ। ଗତମାସ ୧୬ରେ ଦୁଇ ଦୁଇଟି ସ୍ଥାନରୁ ଛିନ୍ତାଇ କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍। ଉକ୍ତ ଦିନରେ ବାରିପଦା ଟାଉନ୍ ଥାନା ଏବଂ ସଦର ଥାନା ଅଞ୍ଚଳରେ ଛିନ୍ତାଇ ଘଟିଥିଲା। ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୩ ତୁଳସୀଚଉରା ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ବାରିପଦା ଟାଉନ୍ ଥାନା ପୁଲିସ୍ ସରୋଜ ଦଣ୍ଡପାଟ (୨୭), ନିଗମାନନ୍ଦ ଦାସ(୪୧) ଓରଫ୍ ବାପି ଓରଫ୍ ନନା ଏବଂ ଡମ୍ବରୁଧର ପାକଳ ଓରଫ୍ ଗୁଲେଇ(୩୩)ଙ୍କୁ ଗିରଫ କରିଛି ପୁଲିସ୍। ଭିଯୁକ୍ତମାନେ ସମସ୍ତେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ନଛିପୁରିଆ ଅଞ୍ଚଳର ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ।
ଅଭିଯୁକ୍ତଙ୍କ ନିକଟରୁ ଚୋରୀ ଚେନ୍ ମଧ୍ୟ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏକ ଦିଆସିଲି ଖୋଳ ଭିତରେ ଉକ୍ତ ଚୋରି ଚେନ୍କୁ ରଖାଯାଇଥିବା ବେଳେ ଉଦ୍ଧାର ହୋଇଛି। ସେହିପରି ସଦର ଥାନା ଅଞ୍ଚଳରେ ଘଟିଥିବା ଛିନତାଇ ଘଟଣାରେ ଉପରୋକ୍ତ ତିନି ଅଭିଯୁକ୍ତଙ୍କ ସମେତ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ରାମନଗର ଥାନା ଅଞ୍ଚଳର ଅମୂଲ୍ୟ କାମିଲା(୫୬)କୁ ମଧ୍ୟ ଗିରଫ କରାଯାଇଛି। ଏହି ଚୋରମାନେ ସକାଳୁ ସକାଳୁ ଏକୁଟିଆ ମହିଳାମାନଙ୍କ ବେକରୁ ସୁନା ଚେନ୍ ଏବଂ ଅନ୍ୟାନ୍ୟ ଅଳଙ୍କାର ଲୁଟ୍ କରି ଦ୍ରୁତ ବେଗରେ ବାଇକ୍ ନେଇ ପଳାଇଯାଆନ୍ତି। ତେଣୁ କେହି ଏମାନଙ୍କର ଟେର୍ ପାଆନ୍ତି ନାହିଁ।
ବାରିପଦାରେ ହେଉଥିବା ଚୋରି ଘଟଣାରେ ବାଲେଶ୍ୱର ଜିଲ୍ଲାର ଜଣେ ଡକାୟତର ହାତ ଥିବା ପୁଲିସ୍ ସନ୍ଦେହ କରୁଛି। ନିକଟରେ ଉକ୍ତ ଅଭିଯୁକ୍ତଜଣଙ୍କ ଜେଲ୍ ମୁକୁଳିଥିବା ଜଣାପଡ଼ିଛି। ଜେଲରୁ ଆସିବା ପରେ ପୁଣିଥରେ ତାର ଚୋରି, ଡକାୟତି ଆଦି କାର୍ଯ୍ୟ ଆରମ୍ଭ କରିଛି। ଏବେ ସେ ବାରିପଦାକୁ ଟାର୍ଗେଟ୍ କରିଥିବା ଜଣାପଡ଼ିଛି। ଖୁବଶ୍ରୀଘ୍ର ସେ ପୁଲିସ୍ ପଞ୍ଝାକୁ ଆସିବ ବୋଲି ପୁଲିସ୍ ପକ୍ଷରୁ ପ୍ରକାଶ। ଅଭିଯୁକ୍ତଙ୍କୁ ଧରିବାରେ ହୋଇଥିବା ଅପରେସନ୍ରେ ବାରିପଦା ସଦର ଏସ୍ଡିପିଓ କେ କେ ହରିପ୍ରସାଦ, ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି, ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ ଏସ୍ ବାଗେ ପ୍ରମୁଖ ନେତୃତ୍ୱ ନେଇଥିଲେ।