ହରିଣ ଶିକାର ମାମଲାରେ ଗିରଫ ହେଲେ ୪ଅଭିଯୁକ୍ତ, ଏବେବି ୨ ଫେରାର

ଉଦ୍ଧାର ହେଲା ହରିଣର ମୃତଦେହ

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ କଳମା ପଞ୍ଚାୟତର ପୁରୁଷୋତ୍ତମପୁର ଉପକଣ୍ଠ ହେମପୁର ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ବାହାର ଜଙ୍ଗଲରୁ ଖସି ଆସିଥିବା ଏକ ହରିଣକୁ ଧନୁତୀର ସାହାଯ୍ୟରେ ଶିକାର କରି ମୃତ ହରିଣକୁ ବାଇକରେ ଅନ୍ୟତ୍ର ବୋହି ନେଵା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଏବେବି ୨ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କ ନିକଟରୁ ହରିଣର ମୃତ ଦେହ, ଶିକାରରେ ବ୍ୟବହୃତ ଧନୁତୀର ଓ ଗୋଟିର ବାଇକ ଜବତ ହୋଇଛି।

ଘଟଣା ମୁତାବକ ବାରିପଦା ବନଖଣ୍ଡ ଅଧିନସ୍ଥ ବେତନଟୀ ରେଞ୍ଜ କଳମା ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମ ଉପକଣ୍ଠ ହେମପୁର ସଂରକ୍ଷିତ ଜଙ୍ଗଲ ପରିସରକୁ ଏକ ହରିଣ ରାସ୍ତା ହୁଡ଼ି ଚାଲି ଆସିଥିଲା। ହରିଣଟି ଉପରେ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କର କୋପ ଦୃଷ୍ଟି ପଡିଥିଲା। ଫଳରେ ସେମାନେ ହରିଣକୁ ଶିକାର କରିବା ପାଇଁ ଧନୁ-ତୀର ଧରି ତା ପଛରେ ପଡିଯାଇଥିଲେ ଏବଂ କିଛି ସମୟ ମଧ୍ୟରେ ନିଜ ଧନୁ ତୀର ସାହାଯ୍ୟରେ ହରିଣ ଟିକୁ ଶିକାର କରିବାରେ ସଫଳ ମଧ୍ୟ ହୋଇଥିଲେ। ହେଲେ ଶିକାର କରିବା ପରେ ସେମାନେ ତରବର ହୋଇ ହରିଣକୁ ଏକ ବାଇକ୍‌ (ଓଡି ୧୧ ଏଫ୍‌ ୦୦୪୯)ରେ ଲୋଡ଼ କରି କୁଆଡେ ନେଇଯାଇଥିଲେ। ଯାହାର ଭିଡିଓ କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଏହି ଭାଇରାଲ ଭିଡିଓ ଆଧାରରେ ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶ ନିଜ ତତ୍ୱାବଧାନରେ ବେତନଟୀ ରେଞ୍ଜର ମନୁୱାର ଖାନ୍ ଓ ଫୋରେଷ୍ଟର ପ୍ରଶାନ୍ତ ସିଂସାମନ୍ତଙ୍କୁ ନେଇ ଏକ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ଘଟଣା ର ଖୋଳତାଡ ଆରମ୍ଭ କରିଥିଲେ।

ମାତ୍ର କିଛି ସମୟ ମଧ୍ୟରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାରେ ବ୍ୟବହାର ହୋଇଥିବା ବାଇକ୍‌କୁ ମଧ୍ୟ ଜବତ୍ କରିଥିଲା ଏନଫୋର୍ସମେଣ୍ଟ ଟିମ୍। ପରେ ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ କିଛି ଧନୁତୀର ମଧ୍ୟ ଜବତ୍ କରିଛି ବନବିଭାଗ। ଶେଷରେ ରାତି ପ୍ରାୟ ୧.୩୦ରେ ଅଭିଯୁକ୍ତମାନେ ଜଙ୍ଗଲ ମଧ୍ୟରେ ଏକ ବୁଦା ମୂଳରେ ଫିଙ୍ଗିଦେଇଥିବା ମୃତ ହରିଣକୁ ଉଦ୍ଧାର କରିଥିଲେ ବନ କର୍ମଚାରୀ।

ବିଭାଗର ସୂଚନା ଅନୁସାରେ ହରିଣ ନୀଳଗିରି ଜଙ୍ଗଲରୁ ରାସ୍ତା ଭୁଲି ଏପଟେ ଚାଲି ଆସିଥିଲା। ଏହାର ବୟସ ୮ରୁ ୧୦ ବର୍ଷ ହେବ ଏବଂ ଏହା ଏକ ଅଣ୍ଡିରା ହରିଣ। ବର୍ତ୍ତମାନ ସୁଦ୍ଧା ଏହି ଘଟଣା ରେ ମୋଟ୍ ୪ ଜଣ ଅଭିଯୁକ୍ତ ହେଲେ ଜୟପୁରିଆ ଗ୍ରାମର ଦର୍ଗା ମାର୍ଣ୍ଡି, ପୁରୁଷୋତ୍ତମପୁର ଗ୍ରାମର ହରି ହାଁସଦା, ମଙ୍ଗତ ମାଝୀ ଓ ରାଜୀବ ମାଝୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ।  ଉକ୍ତ ଘଟଣାରେ ସଂପୃକ୍ତ ବାଇକ୍‌ ଓ ମାଲିକ ଅନନ୍ତ ମାଝୀ ଓ କାନ୍ଦନ ମୁର୍ମୁ ବର୍ତ୍ତମାନ ସୁଦ୍ଧା ଫେରାର ରହିଛନ୍ତି।  ସେମାନଙ୍କୁ ମଧ୍ୟ ଧରିବା ପାଇଁ ବନବିଭାଗ ତାର ପ୍ରୟାସ ଜାରି ରଖିଥିବା କହିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ।

ସମ୍ବନ୍ଧିତ ଖବର