ଚିତ୍ରଡ଼ା: ଲୋକଙ୍କ ମନରୁ ଲିଭିନି ବାହାନଗା ଟ୍ରେନ ଟ୍ରାଜେଡ଼ିର ଦୁଃଖ ଦାୟକ ତଥା ହୃଦୟସ୍ପର୍ଶୀ ଦୃଶ୍ୟ। ଦୁର୍ଘଟଣାରେ ଶହଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶହଶହ ସଂଖ୍ୟାରେ ଗୁରୁତର ଆହତ ଏବେବି ଚିକିତ୍ସାଧିନ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନମଣ୍ଡଳୀ ମୋରଡା ବ୍ଲକ ଗଡ଼ିଆ ପଞ୍ଚାୟତ ଫୁଟକିଶୋଳ ଗ୍ରାମର ଚାରିଜଣ ଯୁବକ ଦାଦନ ଖଟିବା ପାଇଁ ଚେନ୍ନାଇକୁ ଉକ୍ତ ଦିନ କରମଣ୍ଡଳ ଏକ୍ସପ୍ରେସରେ ଯାଉଥିବା ବେଳେ ଉକ୍ତ ଦୁର୍ଘଟଣାରେ ଉକ୍ତ ଗ୍ରାମର ଉକ୍ତ ୪ ଜଣ ଯୁବକଙ୍କ ମୃତ୍ୟୁ ଘରିଯାଇଥିଲା।ତେବେ ଗ୍ରାମକୁ ଶବ ଫେରିବା ପରେ ଗ୍ରାମରେ ଏବଂ ଆଖପାଖ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉକ୍ତ ୪ ଜଣ ମୃତ ଯୁବକଙ୍କ ପରିବାରରେ ଚାଲିଛି କ୍ରିୟାକର୍ମ ଏବଂ ଆଜି ୧୦ ଦିନରେ ଘାଟ କାର୍ଯ୍ୟ ଚାଲିଥିବା ବେଳେ ଲୁହରେ ଭିଜୁଛି ଫୁଟକିଶୋଳ ଗ୍ରାମ। ସମଗ୍ର ଗ୍ରାମରେ ଏବେ ରହିଛି ଶୋକାକୁଳ ପରିବେଶ।

Advertisment

ବାଲେଶ୍ଵର ଜିଲ୍ଲା ବାହାନଗା ଷ୍ଟେସନରୁ ମାତ୍ର ଅଳ୍ପ କିଛି ଦୂରରେ ଘଟିଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୋଟ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୋରଡା ବ୍ଲକର ଚାରିଜଣ ଯୁବକ କୀର୍ତନ ସି, ଭରତ ଦାସ, ବ୍ରହ୍ମାକାନ୍ତ ଦାସ ଓ ସତ୍ୟନାଥ ପାଟବନ୍ଧା ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଏମାନଙ୍କ ମଧ୍ୟରୁ ତିନିଜଣଙ୍କ ମରଶରୀର ଗ୍ରାମରେ ପହଞ୍ଚିଥିବା ବେଳେ ବ୍ରହ୍ମାକାନ୍ତ ଦାସଙ୍କ ମୃତଦେହ ଚି଼ହ୍ନଟ ପାଇଁ ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିବାକୁ ପଡିଛି। ଫଳରେ ମୃତଦେହ ଘରକୁ ଆସିପାରିନାହିଁ।
ତେବେ ଆଜି ଘଟଣା ଘଟିବାର ଦଶ ଦିନ ହୋଇଥିବାରୁ ଶୋକାକୁଳ ପରିବେଶରେ ଚାଲିଛି ଦଶାହ କ୍ରିୟାକର୍ମ । କୀର୍ତନ ସି ଏବଂ ସତ୍ୟନାଥ ପାଟବନ୍ଧାଙ୍କ ଦଶାହ କ୍ରିୟା ଆଜି ଚାଲିଥିବା ବେଳେ ଭରତ ଦାସ ଏବଂ ବ୍ରହ୍ମାକାନ୍ତ ଦାସଙ୍କ ଦଶାହକ୍ରିୟା ହୋଇପାରିନାହିଁ । ବ୍ରହ୍ମାକାନ୍ତଙ୍କ ମରଶରୀର ଘରେ ପହଞ୍ଚିନଥିବାରୁ ତାଙ୍କ ଦାଦା ପୁଅ ସାନଭାଇ ଭରତ ଦାସଙ୍କର ମଧ୍ୟ କ୍ରିୟାକର୍ମ ହୋଇପାରିନାହିଁ ଏବଂ ପନ୍ଦର ଦିନ ଦିନ କ୍ରିୟାକର୍ମ ହେବ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।

publive-image

ତେବେ କୀର୍ତନ ସି ଙ୍କ ଭାଇ କଟିଚନ୍ଦ୍ର ସି ଦୁଃଖ ଭରା କଣ୍ଠରେ ବଖାଣିଛନ୍ତି କୀର୍ତନ ମୃତଦେହ ଖୋଜିବା ସମ୍ପର୍କରେ। ବାପା ଅକ୍ଷୟ ସି ଙ୍କର ତିନି ପୁଅ ମଧ୍ୟରୁ କୀର୍ତନ ଥିଲେ ମଝିଆଁ ପୁଅ ଏବଂ ସମସ୍ତଙ୍କର ପ୍ରିୟ ଥିଲେ । ଗୋଟିଏ ପୁଅ ଚାଲିଯିବା ପରେ ତାଙ୍କର ଗୋଟିଏ କାନ୍ଧ ଚାଲିଯାଇଛି ବୋଲି କୋହଭରା କଣ୍ଠରେ କହିଛନ୍ତି ଅକ୍ଷୟ । କୀର୍ତନଙ୍କର ଗୋଟିଏ ନଅ ବର୍ଷର ଝିଅ ଏବଂ ଦେଢ଼ ବର୍ଷର ପୁଅ ଥିବା ବେଳେ ପାଠପଢା ସହାୟତା ପାଇଁ ସରକାରଙ୍କୁ ଗୁହାରୀ କରିଛନ୍ତି ବାପା ଅକ୍ଷୟ।

ସେହିପରି ଭରତ ଦାସ ସ୍ୱର୍ଗତ ଭାଗୀରଥି ଦାସଙ୍କ ଏକମାତ୍ର ରୋଜଗାରିଆ ପୁଅ ଥିବା ବେଳେ ଏବେ କେମିତି ତାଙ୍କର ପାଞ୍ଚ ବର୍ଷର ଝିଅ ଏବଂ ନଅ ମାସର ପୁଅକୁ ଲାଳନପାଳନ କରି ବଡ଼ କରିବେ କହିଛନ୍ତି ତାଙ୍କ ସ୍ତ୍ରୀ ସଂଗୀତା ଦାସ । ତେଣୁ ସେ ମଧ୍ୟ ପିଲାଙ୍କ ପାଠପଢା ସହାୟତା ପାଇଁ ଗୁହାରୀ କରିଛନ୍ତି। ସେହିପରି ବ୍ରହ୍ମାକାନ୍ତ ଦାସଙ୍କ ମୃତଦେହ ଚି଼ହ୍ନଟ ପାଇଁ ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଥିବାରୁ ଏଯାଏଁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିପାରିନାହିଁ ବୋଲି କହିଛନ୍ତି ତାଙ୍କ ସ୍ତ୍ରୀ ମିନା ଦାସ । ଜଣଙ୍କ ରୋଜଗାରରେ ଘର ସମ୍ପୂର୍ଣ ରୂପେ ଚଳୁଥିବା ବେଳେ ବ୍ରହ୍ମାକାନ୍ତଙ୍କ ଯିବା ପରେ ସ୍ତ୍ରୀ, ଦୁଇ ପୁଅ ଏବେ ଅସହାୟ ପାଲଟିଯାଇଛନ୍ତି ଦୁଇ ପୁଅଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ ସ୍ତ୍ରୀ ମିନା ଦାସ ।

ସେହିପରି ମୃତ ସତ୍ୟନାଥ ପାଟବନ୍ଧାଙ୍କର ମଧ୍ୟ ଚାଲିଛି ଶୋକାକୁଳ ପରିବେଶରେ ଦଶାହ କ୍ରିୟାକର୍ମ। ସାନ ଭାଇ ଯିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ବଡ଼ଭାଇ ସତ୍ୟନାରାୟଣ ପାଟବନ୍ଧା ଏବଂ ବୃଦ୍ଧ ବାପା ତାରାକାନ୍ତ ପାଟବନ୍ଧା ଏବଂ ମା ଫୁଲନା ପାଟବନ୍ଧା। ତେବେ କୀର୍ତନ ସି ଙ୍କ ପରିବାରକୁ ଛାଡି ଦେଲେ ଅନ୍ୟ ତିନି ଜଣଙ୍କ ଘର ଲୋକେ ଭଙ୍ଗା କୁଡ଼ିଆ ଛପର ଘରେ ରହୁଛନ୍ତି, ତେଣୁ ଯଥାଶୀଘ୍ର ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଉକ୍ତ ଅସହାୟ ପରିବାର ଙ୍କୁ ସରକାରୀ ଯୋଜନାରେ ପକ୍କାଘର ଶୀଘ୍ର ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।