ସୋନପୁର/ନୂଆପଡ଼ା: ଆଜି ସନ୍ଧ୍ୟାରେ ୨ଟି ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଛକରେ ବାପପୁଅଙ୍କ ଉପରେ ଦ୍ରୁତଗାମୀ ହାଇୱା ଚଢ଼ିଯାଇଛି। ସେହିପରି ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋତମା ଛକରେ ପିକ୍‌ଅପ୍‌ ଭ୍ୟାନ୍‌ରେ ପିଟି ହୋଇ ଦୁଇ ଜଣ ସାଙ୍ଗ ଜୀବନ ହାରିଛନ୍ତି। ପ୍ରଥମ ଘଟଣାରେ ରାଜକୁମାର ମହାକୁଡ଼ (୫୦), ତାଙ୍କର ପୁଅ ଓମ୍‌ପ୍ରୀତ (୧୬)ଙ୍କ ମୃତ୍ୟୁ ହୋଇଛି। ଦ୍ବିତୀୟ ଘଟଣାର ଶିକାର ହୋଇଛନ୍ତି ଭଗତରାମ ଶବର (୩୦) ଓ ଗୁପ୍ତେଶ୍ବର ଶବର (୨୫)।

Advertisment

publive-image

ସୂଚନା ଅନୁସାରେ ସୋନପୁର ମହାନଦୀ ଉପରେ ନିର୍ମିତ ପୋଲ ପାର୍ଶ୍ବରୁ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଏକ ହାଇୱା ପଟାଭାଡ଼ି ଅଭିମୁଖେ ଯାଉଥିଲା। ଏକ ସ୍କୁଟିରେ ବାପା ରାଜକୁମାର ମହାକୁଡ଼ ଓ ପୁ ଓମପ୍ରୀତି ଆମ୍ବେଦକର ଛକରୁ ବ୍ଲକ କ୍ଲଷ୍ଟର କଲୋନିକୁ ଆସୁଥିଲେ। ବ୍ଲକ ଛକରେ ସ୍କୁଟି ଉପରେ ହାଇୱା ଚଢ଼ିଯାଇଥିଲା। ଘଟଣାସ୍ଥଳରେ ବାପା-ପୁଅ ସ୍କୁଟିରୁ ଅଲଗା ହୋଇ ପ୍ରାଣ ହରାଇଥିଲେ। କିନ୍ତୁ ସ୍କୁଟିକୁ ହାଇୱାଟି ଘୋଷାଡ଼ି ନେଇଥିଲା। ଫଳରେ ଉଭୟ ବାପ-ପୁଅଙ୍କ ମୃତ୍ୟୁ ହୋଇଥିଲା। ଦ୍ରୁତଗାମୀ ହାଇୱା ଘଟଣାସ୍ଥଳରୁ ଫେରାର ମାରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ହୁତୁହୁତୁ ‌ହୋଇ ଜଳି ଯାଇଥିଲା। ସୂଚନା ପାଇଁ ଏସ୍‌ପି ଅମରେଶ ପଣ୍ଡାଙ୍କ ସମେତ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଥିଲା।

ନୂଆପଡ଼ାର ଘଟଣା ଥିଲା ଏମିତି। ମଙ୍ଗଳବାର ରାତି ୮ଟାରେ ଧରମବନ୍ଧା ଥାନା କରଚୁଲ ଗ୍ରାମର ଭଗତରାମ ଶବର, ଗୁପ୍ତଶ୍ବର ଶବର ଓ କୋମନା ଥାନା କାଣ୍ଡେତରା ଗ୍ରାମର କବି ଶବର (୨୬) ଏକ ବାଇକ (ଓଡି ୨୬ ଏଫ୍‌ ୩୩୧୫)ରେ ଖରିଆର ରୋଡ୍‌ରୁ ଫେରୁଥିଲେ। ଗୋତମା ଛକ ପାଖରେ ଠିଆ ହୋଇଥିବା ଏକ ପିକଅପ୍ ଭ୍ୟାନ୍‌ (ଓଡି-୨୬ ଡି-୯୨୫୬)କୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ସମସ୍ତ ୩ ଜଣ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଜୋଙ୍କ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୩ ଜଣଙ୍କୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଭଗତରାମ ଓ ଗୁପ୍ତଶ୍ବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ବୁଧବାର ଦୁଇ ମୃତକଙ୍କ ଶବ ବ୍ୟବଛେଦ କରାଯିବ ବୋଲି ଜୋଙ୍କ ଥାନା ଅଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି। ତେବେ ଆହତ କବି ଚିକିତ୍ସାଧୀନ ଥିବା ଜଣାଯାଇଛି।