ଗୋପ: ପୁରୀ ଜିଲ୍ଲା ଗୋପ-କୋଣାର୍କ ରାସ୍ତାର ପାଟେଳିଆ ଠାରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ତାମ୍ପଡ଼ା ଗ୍ରାମର ସୁକାନ୍ତ ମଲ୍ଲିକ। ଆହତମାନେ ହେଲେ ଗୋକୁଳ ନାୟକ, ଶ୍ରବଣ କୁମାର ମଣ୍ଡଳ, ଅରବିନ୍ଦ କୁମାର ମଣ୍ଡଳ ଓ ପଙ୍କଜ ମଣ୍ଡଳ।

Advertisment

ସୂଚନା ଅନୁସାରେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ଗୋପରୁ କୋଣାର୍କ ଅଭିମୁଖେ ଏକ ପିକ୍‌ଅପ୍‌ ଭ୍ୟାନ ଯାଉଥିଲା। ଏଥିରେ ବିହାରର ଗୋକୁଳ, ଶ୍ରବଣ, ଅରବିନ୍ଦ ଓ ପଙ୍କଜ ଥିଲେ। ସେମାନେ ଇଟାଭାଟିରେ କାମ ସାରି ଫେରୁଥିଲେ। ଏହି ଫେରିବା ବାଟରେ ବିପରୀତ ଦିଗରୁ ଆସୁଥିବା କାର ସହ ତାଙ୍କର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାରରେ ବସିଥିବା କଟକ ଜିଲ୍ଲା ଗୋବିନ୍ଦପୁର ଅନ୍ତର୍ଗତ ତାମ୍ପଡ଼ା ଗ୍ରାମର ସୁକାନ୍ତଙ୍କ ମୃତ୍ୟୁ ଘଟିଥିଲା। ସୁକାନ୍ତଙ୍କ ସାଙ୍ଗ ଗୋକୁଳ ନାୟକ ଗୁରୁତର ହୋଇଥିଲେ। ସେମାନେ ପୁରୀ  ଓ କୋଣାର୍କ ବୁଲି ଘରକୁ ଫେରୁଥିବା ଜଣାପଡ଼ିଛି।

publive-image

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଗୋପ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ। ସ୍ଥାନୀୟ ଲୋକଙ୍କର ସହାୟତାରେ ପୁଲିସ ଗୁରୁତରମାନଙ୍କୁ ଉଦ୍ଧାର କରି ପ୍ରଥମେ ଗୋପସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଇଥିଲା। ତେବେ ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନ୍‌ର ଚାଳକ ଫେରାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ପୁଲିସ ଜବତ କରିଛି।