ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ସହର ଡିଏନ୍‌କେ ଅଂଚଳର ୪ ବ୍ୟକ୍ତି ଛତିଶଗଡ଼ ଯାଇ ଆଉ ଫେରିନାହାନ୍ତି। ତେବେ ଦିନଟିଏ ବିତିଯିବା ପରେ ସେମାନେ କେଉଁଠି ନିଖୋଜ ହେଲେ ତାକୁ ନେଇ ପରିବାର ସନ୍ଦେ‌ହରେ ପଡ଼ିଯାଇଛନ୍ତି। ସେଠାକୁ ଯାଇ ଭୋଜି ଖାଇ ଫେରୁଥିବାବେଳେ ବାଟରେ ଏଭଳି ଅଘଟଣ ଘଟିବା ସମସ୍ତଙ୍କୁ ଚକିତ କରିଛି। ମିଳିଥିବା ସୂଚନା ଅନୁସାରେ ଉମରକୋଟ ସହରର ସପନ ସରକାର ଶନିବାର ଛତିଶଗଡର କାଙ୍କେରସ୍ଥିତ ନିଜ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ କଣ୍ଡଗାଁକୁ ଫେରୁଥିବା ସମୟରେ ନିଖୋଜ ହୋଇ ଯାଇଥିବା ସଂଦେହ କରାଯାଉଛି। ଏ ନେଇ କାଙ୍କେର ଥାନାରେ ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ। ସପନ ସରକାର ଯିଏ କି ରାଇଘର ତହସିଲ କାର୍ଯ୍ୟାଳୟରେ ରାଜସ୍ଵ ସୁପର ଭାଇଜର ଭାବେ କାର୍ଯ୍ୟରତ। ସେ ନିଜ ସ୍ତ୍ରୀ ରିତା ସରକାର, ଶଳା ବିଶ୍ୱଜିତ୍ ଅଧିକାରୀ ଓ ସମ୍ପର୍କୀୟ ହଜାରି ଢାଲି କାଙ୍କେରରୁ କଣ୍ଡଗାଁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ଏତଲାରେ ଦର୍ଶାଯାଇଛି।

Advertisment

ଶନିବାର ରାତି ସାଢ଼େ ୧୦ଟା ହେବ। ସମସ୍ତେ ସେଠାରେ ଭୋଜି ଖାଇ ବାହାରିଥିଲେ। ସକାଳୁ ଘରେ ନ ପହଞ୍ଚିବାରୁ ସପନଙ୍କ ପୁଅ ନବୋଜିତ ଫୋନ ମାଧ୍ୟମରେ ଯୋଗାଯୋଗ ପାଇଁ ଚେଷ୍ଟା କଲେ କିନ୍ତୁ ସମସ୍ତଙ୍କ ମୋବାଇଲ ସ୍ୱିଚ ଅଫ ହେବା ଜାଣି ନିଜେ ଖୋଜିବାକୁ ଗଲେ। କିନ୍ତୁ କୌଣସି ପତ୍ତା ପାଇଲେ ନାହିଁ । ପରେ ତାଙ୍କ ପୁଅ କାଙ୍କେର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।  ଉମରକୋଟ ଥାନା ଅଧିକାରୀ ଦୀପକ କୁମାର ଜେନା ସପନ ସରକାରଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସପନ ଜିଜ୍ ସ୍ଵିଫ୍ଟ କାର୍ (ଓଡି୨୪ସି୧୭୦୫)ରେ ନିଜେ କାର ଚଲେଇ ଫେରୁଥିଲେ। ଯେହେତୁ ସେହି ରାସ୍ତାଟି ଜଗଦଲପୁରରୁ ରାୟପୁରର ଜାତୀୟ ରାଜପଥ ଓ ମାଓ ପ୍ରବଳ ଅଞ୍ଚଳ, ସେହି ରାସ୍ତା ଦେଇ ୨୪×୭ ଯାନ ବାହନ ବହୁ ସଂଖ୍ୟାରେ ଚଳ। ଚଳ କରିଥାଏ। ତେଣୁ ଏହା ପଛରେ ମାଓ ହାତ ରହିଛି ନା ଆଉ କିଛି କାରଣ ତାହା ଅସ୍ପଷ୍ଟ ରହିଛି। ଘଟଣାକୁ ନେଇ ସମଗ୍ର ଉମରକୋଟରେ ଚାଞ୍ଚଲ୍ୟ ଖେଳି ଯାଇଛି।