କଠୋର ହେଲେ ସରକାର : ଭିତ୍ତିଭୂମି ନ ସଜାଡ଼ିବା ମହଙ୍ଗା ପଡ଼ିଲା, ଚାରି ଯୁକ୍ତ ୨ କଲେଜରେ ତାଲା

୯୧ କଲେଜରେ ନାମଲେଖା ଉପ‌ରେ କଟକଣା, ୪୨ଟି ସରକାରୀ କଲେଜ‌ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ୨୦୧୯-୨୦ ଶିକ୍ଷାବର୍ଷ ଲାଗି ରାଜ୍ୟର ୯୧ଟି କଲେଜରେ ନାମଲେଖା ଉପରେ କଟକଣା ଜାରି ହୋଇଛି। ସେଥିମଧ୍ୟରୁ ୪ଟି କଲେଜକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ଭିତ୍ତିଭୂମି ଅଭାବ, ଅଧ୍ୟାପକ ଅଭାବ, ଶ୍ରେଣୀଗୃହ, ଲାଇବ୍ରେରି, ଲାବରେଟୋରି ନଥିବା ଦର୍ଶାଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବାରମ୍ବାର ତାଗିଦ୍‌ ଓ କାରଣଦର୍ଶାଅ ନୋଟିସ୍‌ ପରେ ବି କଲେଜଗୁଡ଼ିକ ତଥ୍ୟ ଦାଖଲ କଲେ ନାହିଁ। ଦିଆଯାଇଥିବା ସମୟସୀମା ମଧ୍ୟରେ ଭିତ୍ତିଭୂମିରେ ସୁଧାର ଆଣିଲେ ନାହିଁ। ଫଳସ୍ବରୂପ ଚଳିତ ଶିକ୍ଷାବର୍ଷରେ ସମ୍ପୃକ୍ତ କଲେଜଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା‌ ତଥ୍ୟ ଅନୁଯାୟୀ, ୪ କଲେଜ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ସେଥିମଧ୍ୟରେ ‌ଗୋଟିଏ ଲେଖାଏ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ରହିଥିବା ବେଳେ ଦୁଇଟି ସେଲ୍ଫ ଫାଇନାନ୍ସିଂ କଲେଜ ରହିଛି। ଏହି କଲେଜଗୁଡ଼ିକ ହେଉଛି ବରଗଡ଼ ଜିଲ୍ଲା ବେଲପଡ଼ା‌‌‌ରେ ଥିବା ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ କଲେଜ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ ମୋହନ ମହିଳା ମହାବିଦ୍ୟାଳୟ, ସୁନ୍ଦରଗଡ଼ କେରେଇସ୍ଥିତ ହାୟର ସେକେଣ୍ଡାରି ସ୍କୁଲ ଅଫ୍‌ ସାଇନ୍ସ ଓ ଟେକ୍ନୋଲୋଜି। ୨୦୧୯-୨୦ ଶିକ୍ଷାବର୍ଷରେ ଉକ୍ତ କଲେଜଗୁଡ଼ିକରେ ନାମଲେଖା ହେବନି ବୋଲି ସ୍ପଷ୍ଟ କରାଯାଇଛି। ଗଜପତି ଜିଲ୍ଲା ଜିରାଙ୍ଗଠାରେ ଥିବା ସରକାରୀ ବିଜ୍ଞାନ କଲେଜକୁ ବନ୍ଦ କରିବାକୁ ବି ନିର୍ଦେଶ ଦିଆଯାଇଛି।

ବିଭାଗ ତଥ୍ୟ କହୁଛି ନାମଲେଖା କଟକଣା ଜାରି ହୋଇଥିବା ୯୧ଟି କଲେଜ ମଧ୍ୟରୁ ୪୧ଟି ହେଉଛି ସରକାରୀ କଲେଜ। ସେଥିମଧ୍ୟରୁ ଅଧିକାଂଶ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯେଉଁଠାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ପିଲା ବି କମ୍‌ ସଂଖ୍ୟାରେ ନାମ ଲେଖା‌ଉଛନ୍ତି। ତେ‌ଣୁ ସେଗୁଡ଼ିକରେ ନାମଲେଖା ଉପରେ କଟକଣା ଜାରି ହୋଇଛି।

ଆଉ ଏକ ତଥ୍ୟ ହେଉଛି ଯେ କଟକଣା ଜାରି ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ଖୋର୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଛି। ଜିଲ୍ଲାର ୧୧ଟି କଲେଜର ନାମଲେଖା ଉପରେ କଟକଣା ଜାରି ହୋଇଛି। ଗଞ୍ଜାମର ୯, ଜଗତ୍‌ସିଂହପୁରର ୮, କଟକ ଓ ସୁନ୍ଦରଗଡ଼ର ୭ଟି ଲେଖାଏଁ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାର ୫ଟି ଲେଖାଏଁ, ବଲାଙ୍ଗୀର ଓ ନୟାଗଡ଼ର ୪ ଲେଖାଏଁ, ଢେଙ୍କାନାଳ, ସୋନପୁର ଓ କଳାହାଣ୍ଡିର ୩ଟି ଲେଖାଏଁ, ଯାଜପୁର, କୋରାପୁଟ, ମାଲକାନଗିରି, ପୁରୀ, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ୨ଟି ଲେଖ‌ାଏଁ, ଗଜପତି, ମୟୂରଭଞ୍ଜ, ନବରଙ୍ଗପୁର, ଦେବଗଡ଼, କନ୍ଧମାଳ, କେନ୍ଦୁଝର, ଅନୁଗୁଳ ଓ ବାଲେଶ୍ବରରେ ଗୋଟିଏ ଲେଖାଏଁ କଲେଜରେ ନାମଲେଖା ଉପରେ କଟକଣା ହୋଇଛି। ୩୨ଟି ସେଲ୍ଫ ଫାଇନାନ୍ସଂ କଲେଜ, ୧୮ଟି ଅଣଅନୁଦାନପ୍ରାପ୍ତ କଲେଜ, ଗୋଟିଏ ଲେଖାଏଁ ବ୍ଲକଗ୍ରାଣ୍ଟ ଓ ଅନୁଦାନପ୍ରାପ୍ତ କଲେଜ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର