ହତ୍ୟା ମାମଲାରେ ଫସିଲେ ୪ ପୁଲିସ ବାବୁ

ଦୁଇ ଏସ୍‌ଡିପିଓ, ଦୁଇ ଏସ୍‌ଆଇଙ୍କ ଅଡ଼ୁଆ ବଢ଼ିଲା

ଜୟପୁରରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି
ସନ୍ଦେହରେ ଅଭିଯୁକ୍ତ ଆଇଆଇସିଙ୍କ ପଦୋନ୍ନତି

କଟକ : ଖାକିରେ ଲାଗିଲା କଳଙ୍କ! ୨୦୧୭ରେ ଜୟପୁର ଟାଉନ୍‌ ଥାନା ଆକାଶ ମହୁରିଆ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଓଡ଼ିଶା ପୁଲିସ ବିଭାଗର ୪ ଅଧିକାରୀଙ୍କ ବିରୋଧରେ ଆଜି ହତ୍ୟା ମାମଲା ରୁଜୁ କରିଛି। ଦୁଇ ଏସ୍‌ଡିପିଓ ଓ ଦୁଇ ଏସ୍‌ଆଇଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଆଇପିସିର ଧାରା ୩୪୨, ୩୨୩, ୩୨୫, ୩୦୨, ୫୦୬, ୩୪ରେ ଏକ ମାମଲା(କେସ୍ ନଂ-୧୭) ରୁଜୁ କରିଛି।

ଅଭିଯୁକ୍ତ ପୁଲିସ ବାବୁଙ୍କ ତାଲିକାରେ ଅଛନ୍ତି ତତ୍କାଳୀନ ଏସ୍‌ଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତି, ବର୍ତ୍ତମାନ ଏସ୍‌ଡିପିଓ ଥିବା ତତ୍କାଳୀନ ଆଇଆଇସି ତପନ ନାରାୟଣ ରଥ ଏବଂ ଦୁଇ ଏସ୍‌ଆଇ ଶିବ ଶଙ୍କର ସାହୁ ଓ ରାଜେଶ ବଳିଆରସି˚ହ।

ସୂଚନା ଅନୁଯାୟୀ, ୨୦୧୭ ଜାନୁଆରି ୩୦ ତାରିଖ ଦିନ ପ୍ରାୟ ୨ଟାବେଳେ ଏକାଧିକ ଅପରାଧିକ ମାମଲାରେ ଫେରାର୍‌ ଥିବା ଅଭିଯୁକ୍ତ ଆକାଶ ମହୁରିଆ ଜୟପୁର ଗାନ୍ଧୀଛକ କେନାଲ ରୋଡ୍‌ରେ ଥିବାନେଇ ଟାଉନ ଥାନା ପୁଲିସ ଖବର ପାଇଥିଲା। ପୁଲିସ ପହଞ୍ଚି ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ହାତରୁ ଖସିଯିବାବେଳେ ଗାଡ଼ିରୁ ପଡ଼ି ତାଙ୍କର ଗୋଡ଼, ପିଠି ଓ ମୁଣ୍ତରେ ଗଭୀର କ୍ଷତ ହୋଇଥିବା ପୁଲିସ ଦର୍ଶାଇଥିଲା। ଦୁର୍ଘଟଣା ଯୋଗୁଁ ଆକାଶଙ୍କ କୋରାପୁଟ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା କହିଥିଲା ଜୟପୁର ପୁଲିସ। କିନ୍ତୁ ଆକାଶଙ୍କ ମା’ ପ୍ରବୀଣା ମହୁରିଆ ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ ତାଙ୍କ ପୁଅକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ ତତ୍କାଳୀନ ଏସ୍‌ଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତି, ଟାଉନ୍‌ ଥାନା ଆଇଆଇସି ତପନ ନାରାୟଣ ରଥ ଏବଂ ଦୁଇ ଏସ୍‌ଆଇ ଶିବଶଙ୍କର ସାହୁ ଏବ˚ ରାଜେଶ ବଳିଆରସି˚ହଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମାନବାଧିକାର କମିସନ୍‌ଙ୍କ ନିର୍ଦ୍ଦେଶକ୍ରମେ ଏଭଳି ସମ୍ବେଦନଶୀଳ ଘଟଣାରେ କ୍ରାଇମବ୍ରାଞ୍ଚ ପ୍ରବୀଣାଙ୍କ ଅଭିଯୋଗ ଆଧାରରେ ଏହି ୪ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଆଜି ହତ୍ୟା ମାମଲା ରୁଜୁ କରିଛି। ଯେହେତୁ ଏହି ମାମଲାରେ ୪ ଜଣ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଛି, ସେଥିପାଇଁ ତଦନ୍ତରେ ସ୍ବଚ୍ଛତା ପାଇଁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ରାମଚନ୍ଦ୍ର ଥମ୍ବଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ହେଉଛି ଏକ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ଥିବା ତତ୍କାଳୀନ ଟାଉନ୍‌ ଥାନା ଆଇଆଇସି ତପନ ନାରାୟଣ ରଥଙ୍କୁ ପୁଲିସ ବିଭାଗ ଏସ୍‌ଡିପିଓ ପାହ୍ୟାକୁ ପଦୋନ୍ନତି ଦେଇଛି। ସେ ଏବେ ରାୟଗଡ଼ ଜିଲ୍ଲାରେ ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଚାରି ପୁଲିସ ଅଧିକାରୀଙ୍କୁ କୋରାପୁଟ ପୁଲିସ ସୁରକ୍ଷା ଦେଉଥିବା ଭଳି ଅଭିଯୋଗ ଏବେ ସାମ୍‌ନାକୁ ଆସିଛି।

ସମ୍ବନ୍ଧିତ ଖବର